ଚିକିଟି : କାମ ଧନ୍ଦାର ଅଭାବରୁ ଆଜି ଶିକ୍ଷିତ ଯୁବକ ନିଜ ଭିଟାମାଟି ଛାଡି ଦାଦନ ମୁହାଁ ହେବାକୁ ବାଧ୍ୟ ହେଉଛି । ଦାଦନ ଦୁଃଖ ଥମିବାର ନା ଧରୁନଥିବା ଆଜି ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ୍ରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଚିକିଟି ବ୍ଲକ କେ. ନୂଆଗାଁ ପଞ୍ଚାୟତ କୋଳଥିଆ ଅଞ୍ଚଳର ଗାଣ୍ଡୁ କନିଆରୀଙ୍କ ପୁଅ ଇସପା କନିଆରୀ ୬ ମହଲା କୋଠା ଉପରୁ ଖସି ପ୍ରାଣ ହରାଇଛନ୍ତି ।
ଗତ ମଙ୍ଗଳବାର ଦିନ ସେଠାକାର ଏକ ଘରୋଇ କମ୍ପାନୀରେ ଇସ୍ପା କନିଆରୀ ସେଣ୍ଟ୍ରିଂ କାମ କରୁଥିବା ସମୟରେ ହାଠାତ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ସେଠାରେ ଇସ୍ପା ମୃତ୍ୟୁବରଣ କରିଥିଲେ । ଆବଶ୍ୟକୀୟ ନଥିପତ୍ର କାର୍ଯ୍ୟ ସରିବା ପରେ ଶୁକ୍ରବାର ଇସପାଙ୍କ ମର ଶରୀରକୁ ଆଣି ନିଜ ଗାଁ କୋଳଥିଆରେ ଶେଷ ଦର୍ଶନ ପରେ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଛି ।
କମ୍ପାନୀ ତରଫରୁ ସାମାନ୍ୟ ସାହାଯ୍ୟ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ସହଯୋଗ ପାଇଁ ଦାବି ହୋଇଛି । ପରିବାରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ।