ଭଞ୍ଜନଗର: ସୁସ୍ଥ ହେଲେ ମାନସିକ ବିକୃତ ମହିଳା ପ୍ରଭାସିନୀ । ଦୀର୍ଘବର୍ଷ ପରେ ସମସ୍ତଙ୍କୁ ଚିହ୍ନି ପାରିଲେ । ସାହି-ପଡୋଶୀ ଏବଂ ସମ୍ପର୍କୀୟମାନେ ବି ପ୍ରଭାସିନୀଙ୍କୁ ଦେଖି ଖୁସି । ବର୍ଷବର୍ଷ ଧରି ମାନସିକ ଭାରସାମ୍ୟ ହରାଇ ଦୁର୍ବିସହ ଜୀବନ ବିତାଉଥିଲେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କଇଠପଲ୍ଲୀ ଗାଁ ହରିଜନ ସାହିର ପ୍ରଭାସିନୀ ନାଇକ । ଗରୀବ ଓ ଅସହାୟ କାରଣରୁ ବାଧକ ସାଜିଥିଲା ଚିକିତ୍ସା । ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସ୍ଥାନୀୟ ପ୍ରଶାସନର ସହଯୋଗ ଯୋଗୁଁ ଏହା କେବଳ ସମ୍ଭବ ହୋଇପାରିଛି । ଗତ କିଛି ବର୍ଷ ହେଲା ମାନସିକ ବିକୃତ ଅବସ୍ଥାରେ ଥିଲେ ପ୍ରଭାସିନୀ । ଦିନ ତମାମ ଗାଁ ପୋଖରୀ ହିଡରେ ଠିଆ ହୋଇ ରହୁଥିଲେ । ରାତିରେ ଘରକୁ ଫେରି ଆସୁଥିଲେ । ଯାହାକୁ ନେଇ ନାନା ଚର୍ଚ୍ଚା ହେଉଥିଲା । ଏ ସଂକ୍ରାନ୍ତରେ ଭଂଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ନଜରକୁ ଆସିବା ପରେ ପ୍ରଶାସନ ପକ୍ଷରୁ ପ୍ରଭାସିନୀଙ୍କୁ ଉଦ୍ଧାର କରାଯାଇଥିଲା । ବ୍ରହ୍ମପୁର ମେଡିକାଲର ମାନସିକ ରୋଗ ବିଭାଗରେ ତାଙ୍କର ଚିକିତ୍ସା କରାଯାଇଥିଲା ।
୨୨ ଦିନ ଧରି ଚିକିତ୍ସିତ ହେବା ପରେ ପ୍ରଭାସିନୀ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା । ଏବେ ତାଙ୍କ ଝିଅ ବର୍ଷାରାଣୀ ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ତାଙ୍କ ପାଠପଢ଼ା ବାବଦରେ ସହାୟତା ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସଂପୃକ୍ତ ପରିବାରକୁ ସାମିଲ କରି ଆଉ କିଛି ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ।