19.1 C
Bhubaneswar
Saturday, November 23, 2024
Homeଓଡିଶାସୁନ୍ଦରଗଡ଼ରେ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌

ସୁନ୍ଦରଗଡ଼ରେ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ଏବଂ ଜନମଙ୍ଗଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ମିଶନ୍ ଶକ୍ତି ସଦସ୍ୟା ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କ ମତାମତ ଜାଣିବା ସହିତ ସେହି ଅନୁସାରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଶ୍ରୀ ପାଣ୍ଡିଆନ୍ ଆଜି ଗୁରୁଣ୍ଡିଆ, ବଣାଇ, କୋଇଡ଼ା ଏବଂ ବୀରମିତ୍ରପୁର ବ୍ଲକ ଗସ୍ତ କରିଥିଲେ । ଗୁରୁଣ୍ଡିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ୫-ଟି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେ ସ୍ଥାନୀୟ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ୫-ଟି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ଶୀଘ୍ର ଶେଷ କରିବା ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ-ଛାତ୍ରାବାସ ପ୍ରକଳ୍ପ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ସେ ତୁମକେଲା ସ୍ଥିତ ବିଜୁ ସେତୁ ନିର୍ମାଣ ସ୍ଥଳରେ ପହଞ୍ଚି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ରାଉରକେଲା ଗ୍ରାମ୍ୟ ନିର୍ମାଣ ଡିଭିଜନ୍ ଦ୍ୱାରା ନିର୍ମାଣ ହେଉଥିବା ଏହି ସେତୁ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳର ୪୦ ହଜାର ଜନସାଧାରଣ ଉପକୃତ ହେବେ । ବଣାଇ ସ୍ଥିତ ବାଣେଶ୍ୱର ମନ୍ଦିର ଯାଇ ପୂଜାର୍ଚନା କରିବା ସହିତ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ । ଉକ୍ତ ଦେବାଳୟର ରୂପାନ୍ତରଣ କାର୍ଯ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ୫-ଟି ସଚିବ ବଣାଇ ସ୍ଥିତ ମିଶନ୍ ଶକ୍ତି କାଫେ ପରିଦର୍ଶନରେ ଯାଇ ମିଶନ୍ ଶକ୍ତି ଗ୍ରୁପ୍‌ର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ପାଣ୍ଡିଆନ୍ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସହିତ ସରକାର ଦେଇଥିବା ସହାୟତା ଫଳରେ ସେମାନେ କିପରି ଭାବେ ଉପକୃତ ହୋଇପାରୁଛନ୍ତି ତାହା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ମୁହଁରୁ ଶୁଣିଥିଲେ । ସେଠାରେ ଥିବା ଉପଖଣ୍ଡ ଡାକ୍ତରଖାନାକୁ ମଧ୍ୟ ସେ ଯାଇ ଡାକ୍ତର ଓ କର୍ମଚାରୀମାନଙ୍କ ସହ କଥା ହୋଇଥିଲେ ।

ଏହି ଅବସରରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଏହା ପରେ ସେ ବଣାଇ ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି ଖେଳାଳୀ ମାନଙ୍କ ସହ କଥା ହୋଇଥିଲେ । ଆହୁରି ମଧ୍ୟ ସେ ବିଜୁ ପାର୍କରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏହି ପାର୍କରେ ଏକ ଉତ୍ତମ ପରିବେଶ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ପାଣ୍ଡିଆନ୍ ମଧ୍ୟ ବଇଦପାଲି ଉଚ୍ଚ ବିଦ୍ୟାଳୟ ଗସ୍ତ କରିବା ସହିତ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ସମସ୍ୟା ସମ୍ପର୍କରେ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କୋଇଡା ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରି ତାହା ଶୀଘ୍ର ସମାପନ କରିବା ନିମନ୍ତେ ଅଧିକାରୀମାନଙ୍କୁ କହିଥିଲେ ।

ଏହା ପରେ ଶ୍ରୀ ପାଣ୍ଡିଆନ୍ କୋଇଡା ଡିଗ୍ରୀ ମହାବିଦ୍ୟଳୟ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମହାବିଦ୍ୟାଳୟରେ ଅନୁସୂଚିତ ଜନଜାତି ବର୍ଗର ଅନେକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାରୁ ସେଠାରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହା ପରେ ସେ କୋଇଡା ଆଇଟିଆଇ ଗସ୍ତ କରି ଅଧ୍ୟକ୍ଷ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ବକେୟା କାମଗୁଡିକ ଶୀଘ୍ର ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କର ସର୍ବାଙ୍ଗୀଣ ହିତ ପାଇଁ ଯତ୍ନବାନ୍‌? ରହିବାକୁ ଆଇଟିଆଇର ଅଧ୍ୟକ୍ଷଙ୍କୁ କହିଥିଲେ । ପରେ ପରେ ସେ ବୀରମିତ୍ରପୁର ଯାଇ ସେଠାକାର ସ୍ମାର୍ଟ ପାର୍କର ନିର୍ମାଣ ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାବିତ ସହରାଞ୍ଚଳ ଜଳାଶୟ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ପ୍ରକଳ୍ପ ଯେପରି ଠିକ୍‌? ଭାବେ କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବୀରମିତ୍ରପୁରରେ ପ୍ରସ୍ତାବିତ ନୂଆ ବସ୍ ଷ୍ଟାଣ୍ଡ ପ୍ରକଳ୍ପ ସ୍ଥଳ ଗସ୍ତ କରି ତାହାର ଏକ ବିସ୍ତୃତ ରିପୋର୍ଟ ସରକାରଙ୍କୁ ପଠାଇବା ପାଇଁ କହିଥିଲେ । ଏହି ଅବସରରେ ସେ ବୀରମିତ୍ରପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକମଣ୍ଡଳୀ ଏବଂ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ସମୟରେ କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭଲି ଏବଂ ଜିଲ୍ଲା ତଥା ସମ୍ପୃକ୍ତ ବ୍ଳକ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking