ମୁମ୍ବାଇ: ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ଅନ୍ଧବିଶ୍ୱାସ କବଳରୁ ମୁକୁଳି ପାରିନି ମଣିଷ । କଳାଯାଦୁ ଓ ଗୁଣିଗାରେଡି ସନ୍ଦେହରେ ଅନେକ ସମୟରେ ଅମାନବୀୟ ଘଟଣାମାନ ଜନମାନସକୁ ଆନ୍ଦୋଳିତ କରୁଛି । ସେହିଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ମହାରାଷ୍ଟ୍ର ପୁନେରୁ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଠାରେ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଅଘୋରୀ ପୂଜା ପାଇଁ ମହିଳାଙ୍କ ଶାଶୂଘର ଲୋକେ ତାଙ୍କୁ ମାସିକ ଋତୁସ୍ରାବ ରକ୍ତ ଦେବାକୁ ବାଧ୍ୟ କରୁଥିଲେ । ବୋହୂର ଋତୁସ୍ରାବ ରକ୍ତ ନେଇ ସେମାନେ ବିକ୍ରି କରୁଥିଲେ । ଏନେଇ ପୀଡିତା ନିଜ ସ୍ୱାମୀଙ୍କ ସମେତ ଶାଶୂଘର ଲୋକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅଘୋରୀ ପୂଜା ପାଇଁ ଶାଶୁଘର ଲୋକେ ମହିଳାଙ୍କ ଋତୁସ୍ରାବ ରକ୍ତ ନେଉଥିଲେ ।
ଏଥିପାଇଁ ସେ ତାଙ୍କୁ ବାଧ୍ୟ କରୁଥିଲେ ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ମହିଳାଙ୍କ ଅଭିଯୋଗକ୍ରମେ ତାଙ୍କର ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢଶୁର, ପୁତୁରା ଓ ପଡୋଶୀଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ମହିଳା ଅଭିଯୋଗ କରିଛନ୍ତି ଯେ, ୨୦୧୯ ମସିହାରେ ବିଡ୍ ଜିଲ୍ଲାରେ ତାଙ୍କର ବିବାହ ହୋଇଥିଲା । ଗତବର୍ଷ ଅଗଷ୍ଟରେ ଦେଢଶୁର, ପୁତୁରା ଏବଂ ପଡୋଶୀ ତାଙ୍କୁ ଋତୁସ୍ରାବ ରକ୍ତ ଦେବାକୁ କହିଥିଲେ । କଳାଯାଦୁ ପାଇଁ ସେମାନେ ଏହି ରକ୍ତ ଚାହୁଁଥିଲେ । କିନ୍ତୁ ଏଥିରେ ମହିଳା ରାଜି ହୋଇନଥିଲେ । ଯାହାଫଳରେ ଜୋର ଜବରଦସ୍ତ ତାଙ୍କର ଋତୁସ୍ରାବ ରକ୍ତ ନେଇ ବୋତଲରେ ରଖିଥିଲେ । ଏଥିରେ ସ୍ୱାମୀ, ଶାଶୁ ଶ୍ୱଶୁର ମଧ୍ୟ ସହଯୋଗ କରିଥିଲେ । ଜଣେ ନିଃସନ୍ତାନ ଦମ୍ପତିଙ୍କୁ ମହିଳାଙ୍କ ଋତୁସ୍ରାବ ରକ୍ତ ଦରକାର ଥିଲା । ସେମାନେ କଳାଯାଦୁରେ ଏହି ରକ୍ତ ବ୍ୟବହାର କରି ସନ୍ତାନ ପ୍ରାପ୍ତି କରିବାକୁ ଚାହୁଁଥିଲେ । ତେଣୁ ମହିଳାଙ୍କ ଦେଢଶୂର ରକ୍ତ ନେଇ ତାଙ୍କୁ ବିକ୍ରି କରିଥିଲେ । ଏହା ବାବଦରେ ସେ ୫୦ ହଜାର ଟଙ୍କା ପଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।