ନୂଆଦିଲ୍ଲୀ:ସନ୍ଦେହରୁ ଉଜୁଡ଼ିଗଲା ସଂସାର । ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା ସ୍ୱାମୀ ଶେଷରେ ତାଙ୍କ ଜୀବନ ନେବାକୁ ପଛାଇଲେ ନାହିଁ। ଏପରିକି ରାଗ ଶାନ୍ତ ନ ହେବାରୁ ପତ୍ନୀଙ୍କୁ ହତ୍ୟା କରି ୬ ଖଣ୍ଡ କରି ଛାତ ଉପରେ ଥିବା ପାଣି ଟାଙ୍କିରେ ପକାଇଥିଲେ। ପ୍ରାୟ ୨ ମାସ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ନକଲି ନୋଟ କାରବାରର ତଦନ୍ତ କରୁଥିବା ପୁଲିସ୍ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ସ୍ୱାମୀକୁ ଗିରଫ କରିଛି। ଏପରି ନାରକୀୟ ଘଟଣା ଛତିଶଗଡ଼ର ବିଳାସପୁରେ ଘଟିଛି।ମୃତା ମହିଳାଙ୍କ ନାମ ସୀତା ସାହୁ ହୋଇଥିବାବେଳେ ଅଭିଯୁକ୍ତ ପୱନ ଠାକୁର ବୋଲି ଜଣାପଡିଛି। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।ନକଲି ନୋଟ କାରବାର ଘଟଣାରେ ପୱନ ଠାକୁର ସମ୍ପୃକ୍ତ ଥିବା ଜାଣି ପୁଲିସ୍ ତାଙ୍କ ଘରେ ପହଞ୍ଚିଥିଲା। ଘରେ ଖାନତଲାସୀ ବେଳେ ନକଲି ନୋଟ ବିଡ଼ା ସହ ନୋଟ ଗଣା ମେଶିନ ବି ଜବତ ହୋଇଥିଲା। ଏହାପରେ ପୁଲିସ୍ ଅଭିଯୁକ୍ତଙ୍କ ଘର ଛାତ ଉପରକୁ ଯାଇଥିବା ବେଳେ ସେଠାରେ ଯାହା ଦେଖିଲା ତାଜୁବ ହୋଇଗଲା।
ପବନଙ୍କ ଘରର ପାଣି ଟାଙ୍କିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ଟାଙ୍କି ଖୋଲିବାରୁ ସେଥିରେ ଏକ ମୃତଦେହ ଖଣ୍ଡ ଖଣ୍ଡ ହୋଇ ଭାସୁଥିବା ବେଳେ ତାହା ଫୁଲି ଅବସ୍ଥା ନ ଥିବା ପୁଲିସ୍ ଦେଖିବାକୁ ପାଇଲା। ମୃତଦେହ କାହାର ବୋଲି ପୁଲିସ ପଚାରିବାରୁ ତାହା ପତ୍ନୀ ସୀତା ସାହୁଙ୍କର ବୋଲି ପବନ କହିବା ସହ ସେ ହିଁ ହତ୍ୟାକାରୀ ବୋଲି ସ୍ୱୀକାର କରିଥିଲେ।