ବେଙ୍ଗାଲୁରୁ : ଭାରତୀୟ ମହିଳା ଟିମ୍ର ଭାଇସ୍ କ୍ୟାପ୍ଟେନ୍ ଏବଂ ଓପ୍ନର୍ ବ୍ୟାଟର୍ ସ୍ମୃତି ମନ୍ଧାନାଙ୍କୁ ୱିମେନ୍ସ ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ର ପ୍ରଥମ ସଂସ୍କରଣ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ (ଆର୍ସିବି) ଟିମ୍ର କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଛି । ଶନିବାର ସକାଳେ ଫ୍ରାଞ୍ଚାଇଜିର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ଏବଂ ବର୍ତ୍ତମାନର କ୍ୟାପ୍ଟେନ୍ ଫାଫ୍ ଡୁପ୍ଲେସିସ୍ ଏହି ଘୋଷଣା କରିଛନ୍ତି । ୨୬ ବର୍ଷୀୟା ଭାରତୀୟ ବ୍ୟାଟର୍ ମନ୍ଧାନାଙ୍କୁ ତିନିଦିନ ତଳେ ଡବ୍ଲ୍ୟୁପିଏଲ୍ର ଖେଳାଳି ନିଲାମରେ ଆର୍ସିବି ୩.୪ କୋଟି ଟଙ୍କାରେ କିଣିଥିଲା । ସେ ଲିଗ୍ର ପ୍ରଥମ ସଂସ୍କରଣର ସବୁଠୁ ଦାମୀ ଖେଳାଳି ମଧ୍ୟ । ଟିମ୍ ଇଣ୍ଡିଆ ଭାଇସ୍ କ୍ୟାପ୍ଟେନ୍ ମନ୍ଧାନାଙ୍କର ଦ୍ରୁତ ଗତିରେ ରନ୍ ସଂଗ୍ରହ ସହିତ ଲିଡର୍ଶିପ୍ କ୍ଷମତା ମଧ୍ୟ ରହିଛି । ୧୧୨ ଟି-୨୦ ମ୍ୟାଚ୍ରେ ସେ ୧୨୩.୧୩ ହାରରେ ମୋଟ ୨୬୫୧ ରନ୍ କରିଛନ୍ତି । ଏହା ମଧ୍ୟରେ ତାଙ୍କ ନାମରେ ୨୦ ଅର୍ଦ୍ଧଶତକ ମଧ୍ୟ ସାମିଲ ।