ଅଲ୍ ରେୟାନ୍ : ବେଲ୍ଜିୟମ୍ ଷ୍ଟାର୍ ଫୁଟ୍ବଲର୍ ତଥା ଜାତୀୟ ଟିମ୍ର କ୍ୟାପ୍ଟେନ୍ ଇଡେନ୍ ହାଜାର୍ଡ ବୁଧବାର ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଅବସର ଘୋଷଣା କରିଛନ୍ତି । କତାର୍ରେ ଚାଲିଥିବା ଚଳିତ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରୁ ଟିମ୍ର ବିଦାୟ କାରଣରୁ ୩୧ ବର୍ଷୀୟ ହାଜାର୍ଡ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଫରୱାର୍ଡ ଖେଳାଳି ଗ୍ରୁପ୍-ଏଫ୍’ର ସମସ୍ତ ତିନୋଟି ଯାକ ମ୍ୟାଚ୍ରେ ଖେଳିଥିଲେ ମଧ୍ୟ ଗୋଟିଏ ବି ଗୋଲ୍ ସ୍କୋର୍ କରିବାରେ ସମର୍ଥ ହୋଇନଥିଲେ । ବେଲ୍ଜିୟମ୍ ଗ୍ରୁପ୍ ପର୍ଯ୍ୟାର ପ୍ରଥମ ମ୍ୟାଚ୍ରେ କାନାଡାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ମରୋକ୍କୋଠାରୁ ପରାଜିତ ହୋଇଥିଲା । ସେହିପରି କ୍ରୋଏସିଆ ସହିତ ତୃତୀୟ ମ୍ୟାଚ୍କୁ ଡ୍ର’ ରଖି ଟିମ୍ ଟେବଲ୍ର ତୃତୀୟ ସ୍ଥାନରେ ରହିଥିଲା । ୨୦୦୮ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହାଜାର୍ଡ ୧୨୬ ମ୍ୟାଚ୍ରେ ୩୩ ଗୋଲ୍ କରିଛନ୍ତି । ୨୦୧୮ ବିଶ୍ୱକପ୍ରେ ସେ ବେଲ୍ଜିୟମ୍କୁ ସେମିଫାଇନାଲ୍ରେ ପହଞ୍ଚାଇବାରେ ସହାୟତା କରିଥିଲେ । ତେବେ ଚାମ୍ପିଅନ୍ ଫ୍ରାନ୍ସଠାରୁ ଟିମ୍ ପରାଜିତ ହୋଇଥିଲା ଏବଂ ତୃତୀୟ ସ୍ଥାନ ପ୍ଲେ-ଅଫ୍ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇଥିଲା । ଉଲ୍ଲେଖଯୋଗ୍ୟ, ବିଶ୍ୱର ଦୁଇ ନମ୍ବର ଟିମ୍ର କତାର୍ ବିଶ୍ୱକପ୍ରେ ନିରାଶାଜନକ ପ୍ରଦର୍ଶନ ପାଇଁ ବେଲ୍ଜିୟମ୍ କୋଚ୍ ରବର୍ଟୋ ମାର୍ଟିନେଜ୍ ତାଙ୍କ ପଦରୁ ଗୁରୁବାର ଓହରି ଯାଇଥିଲେ । ଏକ ଇନ୍ଷ୍ଟା ପୋଷ୍ଟ୍ରେ ହାଜାର୍ଡ ତାଙ୍କର ଏହି ଅବସର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ତାଙ୍କ ଉତ୍ତରାଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହା ସହିତ ସମସ୍ତଙ୍କ ଭଲ ପାଇବା ଏବଂ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।