ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ପ୍ରେମୀଯୁଗଳଙ୍କୁ ତାଲିବାନୀ ସଜ୍ଜା ଦିଆଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଭାଇରାଲ ଭିଡିଓ ବହରିୟାବାଦ ଥାନା ବୁଜୁର୍ଗ ଗ୍ରାମର । ଏଠାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରେମିକାଙ୍କୁ ଲାଠିରେ ମାଡ ମରାଯାଉଥିବା ଏବଂ ପରେ ଛେପ ପକାଇ ଉଭୟଙ୍କୁ ଚାଟିବାକୁ କୁହାଯିବାର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ମାଡ ମାରୁଥିବା ବ୍ୟକ୍ତି ଗାଁର ଗ୍ରାମ ପ୍ରଧାନ ବୁକେଶ ଯାଦବ ବୋଲି କୁହାଯାଉଛି । ସୂଚନା ଅନୁସାରେ ଏହି ଗାଁରେ ରହୁଥିବା ପ୍ରେମୀ ଯୁଗଳ ଗତ କିଛି ଦିନ ହେବ ପ୍ରେମ କରୁଥିଲେ ଏବଂ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନା ଅନୁଯାୟୀ, ଏହି ମାମଲାରେ ଯେବେ ଗ୍ରାମର ପ୍ରଧାନଙ୍କୁ ଖବର ମିଳିଲା ସେ ନିୟମ କାନୁନକୁ ଭୁଲି ଉଭୟଙ୍କୁ ନିଜ ଘରକୁ ଡକାଇ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତାଲିବାନୀ ଦଣ୍ଡ ଦେଇଦେଲେ । ଅନ୍ୟପଟେ ପୋଲିସ ସୂଚନା ଅନୁସାରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ସହିତ ଅଭଦ୍ର ବ୍ୟବହାର କରାଯାଉଛି । ଏହା ସହିତ ଛେପ ପକାଇ ଚାଟିବାକୁ କୁହାଯାଉଛି । ତେବେ କୌଣସି ଅଭିଯୋଗ ମିଳିନି ବୋଲି ପୋଲିସ କହିଛି । ପୋଲିସ ସୂଚନା ଅନୁସାରେ ଏହି ସମ୍ବନ୍ଧରେ ଅଧିକ ଯାଞ୍ଚ ଚାଲିଛି । ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସୂଚନା ଅନୁସାରେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କ ବିବାହ ଅନ୍ୟ ଏକ ସ୍ଥାନରେ ଠିକ୍ କରିଦେଇଥିଲେ। କିନ୍ତୁ ପ୍ରେମୀ ଯୁଗଳ କୌଣସି ଏକ ମନ୍ଦିରରେ ବିବାହ କରିଦେଲେ । ଏହା ପରେ ଏମିତି କାରନାମା ଘଟିଲା । ଗ୍ରାମର ପ୍ରଧାନ ଉଭୟଙ୍କୁ ଘରକୁ ଡାକି ଏମିତି ଦଣ୍ଡ ଦେଲେ । ଏବେ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।