ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚଳାନପଡା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଯୁଧିଷ୍ଠିର ବାରିକ (୩୩) ଗ୍ରାମର ଜଣେ ଜୈନିକ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଦୀର୍ଘ ଦିନ ଧରି ରଖିଥିଲେ। ଏନେଇ ସ୍ତ୍ରୀ ସସ୍ମିତା ବାରିକ (୨୭) ଅନୈତିକ ସମ୍ପର୍କକୁ ବିରୋଧ କରି ଆସୁଥିଲେ। ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କଲି ଝଗଡା ଲାଗି ରହିଥିଲା।
ଗତ ଅକ୍ଟୋବର ୫ ତାରିଖ ସୋମବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଯୁଧିଷ୍ଠିର ବାରିକ ଓ ସସ୍ମିତାଙ୍କ ମଧ୍ୟରେ ଝଗଡା ହୋଇଥିଲା ଯୁଧିଷ୍ଠିର ସ୍ୱାସରୁଦ୍ଧ କରି ସସ୍ମିତାଙ୍କୁ ହତ୍ୟା କରିଥିଲା। ସସ୍ମିତାଙ୍କ ମୃତ୍ୟୁ ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ସ୍ତ୍ରୀ ସସ୍ମିତା ରୋଷେଇ ଘରେ ଶାଢ଼ିରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ରୂପ ଦେଇଥିଲା। ପରେ ଜ୍ୱାଇଁ ମୃତ ଶରୀରକୁ ଖଡ଼ିଆଳ ମିସନ ହସ୍ପିଟାଲକୁ ଆଣିଥିଲେ ହେଲେ ଡାକ୍ତର ପୂର୍ବରୁ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଝିଅ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବାପା କେଶବ ଚଳାନ (୫୮) କାଶୀପଳା ଗ୍ରାମର ଖଡ଼ିଆଳ ଥାନାରେ ତାଙ୍କ ଝିଅ ସସ୍ମିତାକୁ ଜ୍ୱାଇଁ ଯୁଧିଷ୍ଠିର ବାରିକ ହତ୍ୟା କରିଥିବା ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତି କରି ଏକ ହତ୍ୟା ମାମଲା ଓ ହତ୍ୟା କରି ପ୍ରମାଣ ନଷ୍ଟ କରିବା ମାମଲା ରୁଜୁ କରି ଅଭିଯୁକ୍ତ ଜ୍ୱାଇଁ ଯୁଧିଷ୍ଠିର ବାରିକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ହତ୍ୟା ସମୟରେ ଲାଗିଥିବା ରକ୍ତ ଚିନ୍ମ, ଭଙ୍ଗା ଚୁଡ଼ି ଓ ଛିଣ୍ଡା ମାଳି ପୁଲିସ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମର ତଦନ୍ତ ରିପୋର୍ଟ ଆସିଲା ପରେ ଘଟଣା ବିଷୟରେ ଅଧିକ ଜଣା ପଡିବ ବୋଲି ଏସଡ଼ିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ତଦନ୍ତ ଅଧିକାରୀ ତାରାକାନ୍ତ ବିଶ୍ୱାଳ ଓ ନବଘନ ଗଉଡ଼ ଉପସ୍ଥିତ ଥିଲେ ।