ମୁମ୍ବାଇ: ବୀର ସାବରକରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ଉଷ୍ଣ ହୋଇପଡ଼ିଛି । ରାହୁଲଙ୍କ ବୟାନ ପରେ ଶିବସେନା ଉଦ୍ଧବ ଠାକ୍ରେ ଗ୍ରୁପ୍ ମହାବିକାଶ ଅଘାଡ଼ିରୁ ଓହରିବା ସମ୍ଭାବନା ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍ସପିକୁ ନେଇ ମହାବିକାଶ ଅଘାଡ଼ି ମେଣ୍ଟ୍ ରହିଛି । ଆମେ ରାହୁଲ ଗାନ୍ଧୀଙ୍କ ବୟାନରେ ସହମତ ନୋହୁଁ ବୋଲି ଉଦ୍ଧବ ଗ୍ରୁପ୍ ନେତା ଅରବିନ୍ଦ ସାୱନ୍ତ କହିଛନ୍ତି । ସେ କହିଛନ୍ତି, ଆମେ ସାବରକରଙ୍କ ସମ୍ମାନ କରୁ, ତାଙ୍କ ବିରୋଧରେ କିଛିବି ଶୁଣିବାକୁ ପ୍ରସ୍ତୁତ ନୁହଁ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଧ୍ୟ ରାହୁଲଙ୍କ ଏହି ବୟାନକୁ ନେଇ ଅସହମତି ଦର୍ଶାଇଛନ୍ତି। ସେ କହିଛନ୍ତି, ଆମ ମନରେ ବୀର ସାବରକରଙ୍କ ପାଇଁ ବହୁତ ସମ୍ମାନ ଏବଂ ବିଶ୍ୱାସ ରହିଛି ।
ଏହଚୁ କେହି ଲିଭାଇ ପାରିବେ ନାହିଁ । ସାବରକରଙ୍କୁ କେବେ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ମଧ୍ୟ ଉଦ୍ଧବ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିପରି ଆଦିତ୍ୟ ଠାକ୍ରେ ଆଜି ଏକ ପ୍ରେସ୍ କନ୍ଫରେନ୍ସ କରି ରାହୁଲଙ୍କ ବୟାନ ଉପରେ ନିଜର ଷ୍ଟାଣ୍ଡ୍ ସ୍ପଷ୍ଟ କରିଛନ୍ତି । ଏହି ପ୍ରସଙ୍ଗରେ ପାର୍ଟି ଓ ଅନ୍ୟ ନେତାଙ୍କ ଷ୍ଟାଣ୍ଡ୍ ସହିତ ସହମତ ବୋଲି ସେ କହିଛନ୍ତି । ଆଦିତ୍ୟ ଗତ ସପ୍ତାହରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ରାହୁଲ ସହ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ର ଲୋକମାନେ ହିନ୍ଦୁ ବିଚାର ରଖୁଥିବା ନେତାଙ୍କ ଅପମାନ ସହ୍ୟ କରିବେ ନାହିଁ । ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ବୀସ୍ କହିଛନ୍ତି, ରାହୁଲ ଗାନ୍ଧୀ ଅଲାଜୁକ ଭାବେ ମିଛ କହୁଛନ୍ତି । ରାହୁଲଙ୍କ ଏହି ବୟାନ ପରେ ବିଜେପି କର୍ମକର୍ତ୍ତା ଆନ୍ଦୋଳନ ଚଳାଇଛନ୍ତି । ଶୁକ୍ରବାର ବିଜେପି କର୍ମୀମାନେ କଂଗ୍ରେସର ପୁଣେ କାର୍ଯ୍ୟାଳୟରେ ଭିତରେ ଧସେଇ ପଶିଥିଲେ ।
ଗୁରୁବାର ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଅକୋଲାରେ ପ୍ରେସ୍ କନ୍ଫରେନ୍ସ କରି ସାବରକରଙ୍କ ଚିଠି ଦେଖାଇଥିଲେ । ଇଂରେଜଙ୍କୁ ଲେଖା ଯାଇଥିବା ଏହି ଚିଠିରେ ସାବରକର ଇଂରେଜଙ୍କ ଚାକର ହୋଇ ରହିବାକୁ ଦର୍ଶାଇଥିଲେ ବୋଲି ରାହୁଲ ଦାବି କରିଥିଲେ । ଏହା ସହିତ ଇଂରେଜଙ୍କ ଡରି କ୍ଷମାପ୍ରାର୍ଥନା କରିଥିଲେ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦାବି କରିଛନ୍ତି । ସେ ଆହୁରି କହିଥିଲେ, ଗାନ୍ଧୀ-ନେହରୁ ଏପରି କରିନଥିବାରୁ ବର୍ଷ ବର୍ଷ ଧରି ଜେଲ୍ରେ ରହିଥିଲେ । ଏହି ବୟାନବାଜି ମଧ୍ୟରେ ସାବରକରଙ୍କ ନାତି ରଞ୍ଜିତ୍ ସାବରକର ମୁମ୍ବାଇର ଶିବାଜୀ ପାର୍କ ଥାନାରେ ରାହୁଲ ଗାନ୍ଧୀ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସାବରକର ଇଂରେଜଙ୍କ ଚାକିରି କରିଥିଲେ ଏବଂ ସେମାନଙ୍କଠାରୁ ପେନ୍ସନ୍ ନେଉଥିବା କହି ରାହୁଲ ସାବରକରଙ୍କ ଅପମାନ କରିଛନ୍ତି ବୋଲି ରଞ୍ଜିତ କହିଛନ୍ତି ।