ଚଣ୍ଡିଗଡ଼ : ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର୍ ଏବଂ ପିତା ବଲକୌର ସିଂହ ଶୁକ୍ରବାର ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି । ମୁସେୱାଲାଙ୍କ ପିତା ବଲକୌର ଗତ ମାସରେ ପୁଅର ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଜାବ ସରକାରଙ୍କୁ ଏକ ମାସର ଅଲ୍ଟିମେଟମ୍ ଦେଇଥିଲେ । ବଲକୌର ସିଂହ କହିଥିଲେ, ତାଙ୍କ ପୁଅର ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ସେ ଦେଶ ଛାଡ଼ି ବିଦେଶରେ ବସବାସ କରିବେ । ଅବଶ୍ୟ ସେମାନେ ଶୀଘ୍ର ଭାରତ ଫେରିଆସିବେ ବୋଲି ମୁସେୱାଲାଙ୍କ ପରିବାରର ନିକଟତମ ସଦସ୍ୟ କହିଛନ୍ତି ।
ଇଂଲଣ୍ଡରେ ଥିବା ମୁସେୱାଲାଙ୍କ ପ୍ରଶଂସକ ମୁସେୱାଲାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଅଭିଯାନ ଜାରି ରଖିଛନ୍ତି । ଏହି କ୍ରମରେ ନଭେମ୍ବର ୨୪ରେ ସେମାନଙ୍କ ପକ୍ଷରୁ ଇଂଲଣ୍ଡ ପାର୍ଲାମେଣ୍ଟ୍ ବାହାରେ ଏକ ସାଇକେଲ୍ ରାଲିର ଆୟୋଜନ କରାଯାଇଛି । ମୁସେୱାଲଙ୍କ ମାତା-ପିତା ଏହି ରାଲିରେ ସାମିଲ ହେବାପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି । କିଛିଦିନ ତଳେ ମୁସେୱାଲାଙ୍କ ମାତା-ପିତା ଏକ ସ୍ୱାକ୍ଷର ଅଭିଯାନ ଚଳାଇଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଭାଗ ନେଇଥିଲେ । ସେ ଆବେଦନପତ୍ର ନେଇ ପଞ୍ଜାବ ପୁଲିସ ଡିଜିଙ୍କୁ ମଧ୍ୟ ଭେଟିଥିଲେ । ଉଭୟେ କିଛିଦିନ ତଳେ ପଞ୍ଜାବ ଏବେ ଅସୁରକ୍ଷିତ ଏବଂ ଏଠାରେ ପ୍ରତ୍ୟେକଙ୍କୁ ନିଜର ସୁରକ୍ଷା ଦାୟିତ୍ୱ ନିଜେ କରିବାକୁ ହେବ ବୋଲି କହିଥିଲେ ।