28.1 C
Bhubaneswar
Sunday, September 29, 2024
Homeଓଡିଶାଓବିସି ମୋର୍ଚ୍ଚା ଛାତ୍ର ସାମୁଖ୍ୟ ପକ୍ଷରୁ ଓବିସି କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

ଓବିସି ମୋର୍ଚ୍ଚା ଛାତ୍ର ସାମୁଖ୍ୟ ପକ୍ଷରୁ ଓବିସି କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

ଓବିସି ବର୍ଗକୁ ସାବତ ପୁଅ ଭାବୁଛନ୍ତି ରାଜ୍ୟ ସରକାର
: ସୁରଥ ବିଶ୍ୱାଳ
 ନାମ ଲେଖାରେ ସଂରକ୍ଷଣ ଓବିସି ବର୍ଗର ସାମ୍ବିଧାନିକ ଅଧିକାର
 କିଛି ମୁଷ୍ଟିମେୟ ନେତୃତ୍ୱ ଓବିସି ବର୍ଗଙ୍କ ପ୍ରଗତିରେ ବାଧକ ସାଜିଛନ୍ତି
 ରାଜ୍ୟ ସରକାରଙ୍କ ଓବିସିମାରଣ ନୀତି ବିରୁଦ୍ଧରେ ବିଭିନ୍ନ ଜାତି ବର୍ଗ ଓ ଜାତି ସମାଜ ପକ୍ଷରୁ ଆଗାମୀ ଦିନରେ ମୋର୍ଚ୍ଚା ତରଫରୁ ବ୍ୟାପକ ଓ ତୀବ୍ର ଆନ୍ଦୋଳନ କରାଯିବ
ଭୁବନେଶ୍ୱର, : ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ସଂରକ୍ଷଣ ଦେବାରେ ରାଜ୍ୟ ବିଜେଡି ସରକାର ପକ୍ଷପାତିତା କରୁଛି । କେଉଁ ବର୍ଗଙ୍କୁ କେତେ ପ୍ରତିଶତ ସଂରକ୍ଷଣ ସେ ସଂପର୍କରେ କୌଣସି ସ୍ପଷ୍ଟ ନୀତି ନାହିଁ, ବିଶେଷ କରି ରାଜ୍ୟର ସଂଖ୍ୟାଧିକ ବର୍ଗ ଓବିସି ଓ ଏସଇବିସିମାନଙ୍କୁ କ୍ରମାଗତଭାବେ ରାଜ୍ୟ ସରକାର ସେମାନଙ୍କ ସମ୍ବିଧାନିକ ଅଧିକାରରୁ ବଂଚିତ କରାଇଛନ୍ତି । ଏପରିକି ଓବିସି ବର୍ଗକୁ ସାବତ ପୁଅ ଭାବୁଛନ୍ତି ରାଜ୍ୟ ସରକାର ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଆଜି ରାଜ୍ୟ ଓବିସି ମୋର୍ଚ୍ଚା ଛାତ୍ର ସାମୁଖ୍ୟ ପକ୍ଷରୁ ଓବିସି କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ର ସରକାର ମେଡିକାଲ, ଡେଂଟାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ଦେଉଥିବା ବେଳେ ରାଜ୍ୟର ବିଜେଡି ସରକାର ଜାଣିଶୁଣି ଯୋଜନାବଦ୍ଧ ଭାବେ ଏହି ବର୍ଗଙ୍କୁ ଶୂନ୍ୟ ସଂରକ୍ଷଣ ଦେଉଛନ୍ତି । ମଣ୍ଡଳ କମିଶନ ସୁପାରିଶ ଅନ୍ୟ ରାଜ୍ୟମାନେ କାର୍ଯ୍ୟକାରୀ କରାଉ ଥିବାବେଳେ ଓବିସି ପିଲାମାନଙ୍କ ଶିକ୍ଷା ଉନ୍ନତି କ୍ଷେତ୍ରରେ ରାଜ୍ୟ ସରକାର କାହିଁକି ବାଧକ ସାଜିଛନ୍ତି, ତାହା ବୁଝିହେଉ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଓବିସି ଛାତ୍ରଛାତ୍ରୀଙ୍କର କଣ ଡାକ୍ତର କି ଇଂଜିନିୟର ହେବାର ସ୍ୱପ୍ନ ଦେଖିବା ଅଧିକାର ନାହିଁ ? ଅନୁସୂଚିତ ଜାତି, ଜନଜାତି, ସାଧାରଣ ବର୍ଗର ଅର୍ଥନୈତିକ ଅନଗ୍ରସର ସମସ୍ତେ ପାଇବେ ହେଲେ ବାରମ୍ବାର ଦାବି ସତ୍ୱେ ଓବିସି ବର୍ଗ ସଂରକ୍ଷଣ ପାଇଁ କାହିଁକି କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ବିଗତ ଦିନରେ ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦିଆଯିବା ସହିତ ବିଧାନସଭା ସମ୍ମୁଖରେ ବି ବିକ୍ଷୋଭ ପ୍ରତିବାଦ ହୋଇଥିଲା, ହେଲେ କୌଣସି ପ୍ରଭାବ ପଡିଲାନି । କିଛି ମୁଷ୍ଟିମେୟ ନେତୃତ୍ୱ ଓବିସି ବର୍ଗଙ୍କ ପ୍ରଗତିରେ ବାଧକ ସାଜିଛନ୍ତି । ଏପରିକି ଗତ ପଂଚାୟତ ଓ ପୌର ନିର୍ବାଚନରେ ରାଜ୍ୟ ସରକାରଙ୍କ ସାବତ୍ ଆଚରଣ କାରଣରୁ ଓବିସି ବର୍ଗ ନିର୍ବାଚନରେ ଲଢିବାରେ ବଂଚିତ ହେଲେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାରଙ୍କ ଓବିସିମାରଣ ନୀତି ବିରୁଦ୍ଧରେ ବିଭିନ୍ନ ଜାତି ବର୍ଗ ଓ ଜାତି ସମାଜ ପକ୍ଷରୁ ଆଗାମୀ ଦିନରେ ମୋର୍ଚ୍ଚା ତରଫରୁ ବ୍ୟାପକ ଓ ତୀବ୍ର ଆନ୍ଦୋଳନ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ କୁମାର ନାୟକ, ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଦୁଷ୍କନ୍ତ ଦାସ, ସମ୍ପାଦକ ଦୁର୍ଗା ପ୍ରସନ୍ନ ନାୟକ, ସୁକୁମାର ସାହୁ, ପ୍ରଶାନ୍ତ ନାୟକ, ବିନୟ ରାଉତ, ପିୟୂଷ ରଞ୍ଜନ ସାହୁ, ସୌମ୍ୟରଞ୍ଜନ ଓଝା, ରଞ୍ଜିତା ନାୟକ, ଗଙ୍ଗାଧର ପ୍ରଧାନଙ୍କ ସମେତ ଶତାଧିକ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking