ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଫିଟ୍ ରହିବା ଲାଗି ଓଜନ କମାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଭଳି କ୍ଷେତ୍ରରେ ବ୍ରିଟେନ୍ର ଜଣେ ମହିଳା ନିଜ ଓଜନକୁ ୧୦୭ କିଲୋ କମାଇଥିବା ସୂଚନା ମିଳିଛି। ଡନ୍ ଲାମ୍ବାର୍ଟ ନାମକ ଏହି ୫୨ ବର୍ଷୀୟା ମହିଳାଙ୍କର ଓଜନ ପୂର୍ବରୁ ୧୬୬ କିଲୋ ଥିଲା । ଏବେ ସେ ୬୦ କିଲୋ ପାଖାପାଖି । ଲାମ୍ବାର୍ଟ ଦୀର୍ଘ ଦିନ ଧରି ଅଧିକ ମାତ୍ରାରେ ଜଙ୍କ୍ ଫୁଡ୍, ଚିପ୍ସ ଓ ବର୍ଗର ଆଦି ଖାଉଥିଲେ । ସେଥିଯୋଗୁ ତାଙ୍କ ଓଜନ ବଢ଼ି ଚାଲିଥିଲା । ଓଜନ ଅଧିକ ହେବା କାରଣରୁ ତାଙ୍କୁ ଆସ୍ଥମା ଓ ରକ୍ତ ଜମିଯିବା ଭଳି ରୋଗ ହେଲା । ଏହାଛଡ଼ା ତାଙ୍କର ପାଚନ ତନ୍ତ୍ରବି ସବୁବେଳେ ଖରାପ ରହୁଥିଲା । ତାଙ୍କର ପାଦରେ ଫ୍ୟାଟ୍ ସେଲ୍ସ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଓଜନ ଏଭଳି ବଢ଼ୁଥିଲା ଯେ ଡାକ୍ତରମାନେ ତାଙ୍କୁ ଲିଭର କାମ କରିବା ବନ୍ଦ ନେଇ ଚେତାବନୀ ଦେଇଥିଲେ । ସେହି ଡର ଯୋଗୁ ସେ ଓଜନ କମାଇବାକୁ ସ୍ଥିର କଲେ। ସେଥିଲାଗି ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ ଗ୍ରହଣ କଲେ । ଖାଦ୍ୟରେ ତେଲ ମସଲାକୁ କମାଇ ସବୁଜ ପନିପରିବା ଉପରେ ଗୁରୁତ୍ୱ ଦେଲେ । ପ୍ରଥମରୁ ଅସମ୍ଭବ ବୋଲି ଲାଗୁଥିଲେ ବି ଶେଷରେ ତାଙ୍କର ସେହି ପରିଶ୍ରମ ଫଳବତୀ ହେଲା । ବର୍ତ୍ତମାନ ତାଙ୍କ ଓଜନ ୧୦୭ କିଲୋ କମିଯାଇଛି। ଲାମ୍ବାର୍ଟ କହିଛନ୍ତି, ଯଦି ମୁଁ ଏହା କରିପାରିଲି ତା’ ହେଲେ ଯେକେହି ନିର୍ଦ୍ଧିଷ୍ଟ ଡାଏଟ୍ ଗ୍ରହଣ କରି ଏଭଳି ଓଜନ କମାଇପାରିବେ ଓ ଫିଟ୍ ରହିପାରିବେ।