ଜଗତସିଂହପୁର: ବିପଦ ସଙ୍କେତ ଟପିଲା ଦଳେଇ ଘାଇ । ଜଗତସିଂହପୁର ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଦଳେଇ ଘାଇ ନିକଟରେ ଦେବୀ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯାହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି । ଦଳେଇ ଘାଇ ନିକଟରେ ବିପଦ ସଙ୍କେତ ୫୭ ଫୁଟ ରହିଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୫୯ ଫୁଟରେ ପହଞ୍ଚିଛି । ଏହାର ଶାଖା ନଦୀ ବିଲୁଆ ଖାଇରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି । ବିଲୁଆ ଖାଇ ଦ୍ବୀପାଞ୍ଚଳ ବାଇସ ମଉଜା ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ଆଳି ପିଙ୍ଗଳ ଠାରେ ଦେବୀ ନଦୀର ବିପଦ ସଙ୍କେତ ୧୧.୬୬ ମିଟର ଥିବାବେଳେ ଆଜି ସକାଳୁ ବିପଦ ସଙ୍କେତ ସ୍ପର୍ଶ କରିଛି ବନ୍ୟାଜଳ । ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧରେ ୨୪ ଘଣ୍ଟିଆ ପହରା ଦେବା ସହ ବାଲି ବସ୍ତାଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ।