ନୂଆଦିଲ୍ଲୀ : ଜିନ୍ଦଲ୍ ଗ୍ରୁପ୍ ମୁଖ୍ୟ ଭାରତର ସାବିତ୍ରୀ ଜିନ୍ଦଲ ଏସିଆର ସବୁଠୁ ଧନୀ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି । ଚୀନ୍ର ୟାଙ୍ଗ୍ ହଇୟନ୍ଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଏହି ସଫଳତା ହାସଲ କରିଛନ୍ତି । ୟାଙ୍ଗ୍ ହୁଇୟନ୍ ଗତ ପାଞ୍ଚବର୍ଷ ଧରି ଏସିଆର ସବୁଠୁ ଧନୀ ମହିଳା ରହିଆସିଥିଲେ । ୟାଙ୍ଗ୍ ଚୀନ୍ର ସବୁଠୁ ବଡ଼ ରିୟଲ୍ ଇଷ୍ଟେଟ୍ ଡେଭେଲପର୍ କଣ୍ଟ୍ରି ଗାର୍ଡେନ ହୋଲ୍ଡିଙ୍ଗ୍ସର ପରିଚାଳକ ଅଛନ୍ତି । ତେବେ ରିୟଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକ ଉପରେ ଚୀନ୍ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ୟାଙ୍ଗ୍ଙ୍କ ସମ୍ପତ୍ତି ହ୍ରାସ ପାଇଛି । ବ୍ଲୁମ୍ବର୍ଗ ବିଲେନିୟର୍ ଇଣ୍ଡେକ୍ସ ଅନୁସାରେ ୟାଙ୍ଗ୍ଙ୍କ ସମ୍ପତ୍ତି ଗତବର୍ଷର ୨୪ ବିଲିୟନ୍ ଡଲାରରୁ ହ୍ରାସପାଇ ଚଳିତ ବର୍ଷ ୧୧ ବିଲିୟନ୍ ଡଲାର ହୋଇଛି । ଅନ୍ୟପକ୍ଷରେ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ମୂଲ୍ୟ ୧୧.୩ ବିଲିୟନ୍ ଡଲାର ରହିଛି । ଫୋର୍ବ୍ସ ଅନୁସାରେ ସାବିତ୍ରୀ ଜିନ୍ଦଲ ଗତ କିଛିବର୍ଷ ଧରି ଭାରତର ସବୁଠୁ ଧନୀ ମହିଳା ଭାବେ ଗଣାଯାଉଥିଲେ । ଭାରତର ସବୁଠୁ ଧନୀ ମହିଳାଙ୍କ ସୂଚୀରେ ତାଙ୍କ ପରେ କିରଣ ମଜୁମଦାର ଏବଂ କ୍ରିଷ୍ଣା ଗୋଦରେଜ୍ ରହିଛନ୍ତି । ସୂଚନାଯୋଗ୍ୟ, ୨୦୦୫ରେ ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତା ତଥା ସାବିତ୍ରୀଙ୍କ ପତି ଓମ୍ ପ୍ରକାଶ ଜିନ୍ଦଲଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସାବିତ୍ରୀ ପତିଙ୍କ ବ୍ୟବସାୟ ସମ୍ଭାଳିଥିଲେ ।