ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅବୈଧ ବାର୍ ବିବାଦ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡ଼ା ଏବଂ ନେଟା ଡିସୁଜାଙ୍କୁ ସମନ ଜାରି କରିଛନ୍ତି । ସ୍ମୃତି ଇରାନୀଙ୍କ ଦ୍ୱାରା ଦାୟର ମାନହାନି ମୋକଦ୍ଦମାକୁ ନେଇ ହାଇକୋର୍ଟ ଏହି ସମନ ଜାରି କରିଛନ୍ତି । କନ୍ୟା ଜୋୟଶା ଇରାନୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ ସ୍ମୃତି ଦୁଇକୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଆବେଦନର ଶୁଣାଣି କରି ବିଚାରପତି ମିନି ପୁଷ୍କର୍ଣ୍ଣ କଂଗ୍ରେସର ତିନି ନେତାଙ୍କୁ ସ୍ମୃତିଙ୍କ କନ୍ୟା ବିରୋଧରେ ଅଭିଯୋଗ ସ୍ୱରୂପ କରିଥିବା ଟ୍ୱିଟ୍, ରିଟ୍ୱିଟ୍ ପୋଷ୍ଟ, ଭିଡିଓ ଏବଂ ଫଟୋ ସୋସିଆଲ୍ ମିଡିଆରୁ ଡିଲିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦେଶ ପାଳନ ନକଲେ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟର୍, ଫେସ୍ବୁକ୍, ୟୁଟ୍ୟୁବ୍ ଏବଂ ଇନ୍ଷ୍ଟାଗ୍ରାମ୍ ଏ ସମ୍ବନ୍ଧିତ ସାମଗ୍ରୀ ହଟାଇବା କାର୍ଯ୍ୟ କରିବେ ।
ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ସମନ ଜାରି କରାଯିବା ପରେ କଂଗ୍ରେସ ମହାସଚିବ ଜୟରାମ ରମେଶ ଶୁକ୍ରବାର ଟ୍ୱିଟ୍ କରି କହିଛନ୍ତି ସେ ଏବଂ ଏହି ମାମଲାରେ ଉଲ୍ଲିଖିତ ଅନ୍ୟ କଂଗ୍ରେସ ନେତାମାନେ କୋର୍ଟ ସମ୍ମୁଖରେ ସମସ୍ତ ତଥ୍ୟ ଉପସ୍ଥାପନ କରିବା ଏବଂ ଏହି ମାମଲାକୁ ଦିଗଭ୍ରଷ୍ଟ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୟାସକୁ ବିଫଳ କରିବୁ ।
କଂଗ୍ରେସ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ କନ୍ୟା ଜୋୟଶା ଗୋଆରେ ଅବୈଧ ବାର୍ ଚଳାଇଥିବା ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ମୃତିଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ଉଚିତ ବୋଲି କହିଥିଲେ । କଂଗ୍ରେସର ଏହି ଅଭିଯୋଗକୁ ସ୍ମୃତି ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ନାସ୍ନାଲ୍ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା ମନୋଭାବ ପୋଷଣ କରିବା କାରଣରୁ ତାଙ୍କ କନ୍ୟାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି କହିଥିଲେ ।