ବୁଗୁଡା: ବୁଗୁଡା-ବାଲିପଦର ମୁଖ୍ୟ ରାସ୍ତାର ବାଙ୍କେଶ୍ୱରୀ ମନ୍ଦିର ନିକଟରେ ଆଜି ସକାଳେ ବାଇକ୍ ଓ ମୋପେଡ୍ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ଓଡଗାଁ ଥାନା ଅନ୍ତର୍ଗତ ନୃସିଂହ ପ୍ରସାଦ ଗ୍ରାମର କାଳିଆ ମାହାଙ୍କୁଡଙ୍କ ପୁଅ ଦିପୁ ମାହାଙ୍କୁଡ (୨୩) ଏବଂ ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମର ଆକ୍ସିଲ ଚାଳକ ଶଙ୍କର ଡାକୁଆଙ୍କ ପୁଅ ଅଜୟ ଡାକୁଆ(୧୯ ) । ଆହତ ଜଣକ ମୃତ ଦିପୁଙ୍କ ଭାଇ ପପୁ ମାହାଙ୍କୁଡ଼(୨୦) । ଘଟଣାରୁ ପ୍ରକାଶ ଯେ, ଏକ ବାଇକ୍ରେ ଦିପୁ ଓ ପପୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ ।
ଅନ୍ତରପଡା ପଞ୍ଚାୟତର ମାଣିବନ୍ଧ ଗ୍ରାମରୁ ବୁଗୁଡ଼ା ଅଭିମୁଖେ ଏକ ମୋପେଡରେ ଆସୁଥିବା ଅଜୟଙ୍କ ସହ ବାଇକ୍ ଧକ୍କା ହୋଇଥିଲା । ଉଭୟ ଗାଡିର ଚାଳକ ଦିପୁ ଓ ଅଜୟ ଗୁରୁତର ଆହତ ହୋଇଥିଲେ । ପଛରେ ଅନ୍ୟ ଏକ ବାଇକ୍ରେ ଯାଉଥିବା ପପୁଙ୍କ ଭାଇ ସଞ୍ଜୟ ଆମ୍ବୁଲାନ୍ସରେ ଆହତଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଦିପୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅଜୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ଅଜୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆହତ ପପୁ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି ।