19.1 C
Bhubaneswar
Saturday, November 23, 2024
Homeଓଡିଶାପାଣିନାଳ ଜବରଦଖଲ, ଜିଲ୍ଲାପାଳଙ୍କୁ ଘେରିଲେ ଚାଷୀ

ପାଣିନାଳ ଜବରଦଖଲ, ଜିଲ୍ଲାପାଳଙ୍କୁ ଘେରିଲେ ଚାଷୀ

କେନ୍ଦ୍ରାପଡ଼ା : ପାଣିନାଳ ଜବରଦଖଲ ଯୋଗୁଁ ଚାଷଜମିକୁ ପାଣି ମାଡ଼ୁନଥିବାରୁ ବହୁ ଚାଷୀ ଅସୁବିଧା ଭୋଗୁଛନ୍ତି । ଜନୈକ ବ୍ୟକ୍ତି ଏହି ପାଣିନାଳକୁ ମାଟି ପକାଇ ପୋତିଦେବା ଫଳରେ ତଳିଆ ଅଞ୍ଚଳକୁ ପାଣି ଯାଉନାହିଁ । ଏହାର ସମାଧାନ ପାଇଁ ବହୁ ଚାଷୀ ବୁଧବାର ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟିଛନ୍ତି । କେନ୍ଦ୍ରାପଡ଼ା ବ୍ଲକ ଭରତପୁର, ଆୟତପୁର, କନ୍ତିଆ ଗ୍ରାମର ଚାଷୀଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ତହସିଲ ଅଧୀନ ଜଗନ୍ନାଥପୁର ନାଳକୁ ସାବକ ଏବଂ ହାଲ୍ ନକ୍ସାରେ ନାଳ ଥିବା ଦର୍ଶାଯାଇଥିଲେ ମଧ୍ୟ ଗ୍ରାମର ବିଦ୍ୟାଧର ଜେନା ବାସନ୍ତୀ ମଣ୍ଡପ ନିକଟରେ ନାଳକୁ ମାଟି ପକାଇ ସମ୍ପୂର୍ଣ୍ଣ ପୋତି ପକାଇଛନ୍ତି ।

ଗତ ୨୦୨୧ ଅଗଷ୍ଟରେ ଏହି ପାଣିନାଳକୁ ଜବରଦଖଲ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏହାର କୌଣସି ସୁଫଳ ମିଳିନଥିଲା । ପୁନର୍ବାର ଚଳିତବର୍ଷ ମଧ୍ୟ ବାସନ୍ତୀ ଠାକୁରାଣୀଙ୍କ ନିକଟରେ ଏହି ନାଳକୁ ଅବରୋଧ କରାଯାଇଛି । ଗତ ୨୬ ତାରିଖରେ ଗ୍ରାମର କେତେକ ବ୍ୟକ୍ତି ତଥା ଗାଁ ସାଥୀଙ୍କ ଉପସ୍ଥିତିରେ ଏହି ପାଣନାଳକୁ ସଫା କରୁଥିବାବେଳେ ବିଦ୍ୟାଧର ସେଠାକୁ ଆସି ଗାଳିଗୁଲଜ କରିବା ସହିତ ପ୍ରଶାନ୍ତ ସ୍ୱାଇଁଙ୍କ ହାତରୁ କୋଦାଳ ଛଡାଇ ନେଇ ତାଙ୍କୁ ହାଣିବାକୁ ଉଦ୍ୟମ କରୁଥିଲେ । ଅନ୍ୟ ଚାଷୀ ଏହାର ବିରୋଧ କରିବାରୁ ସେ ସେହି ସ୍ଥାନ ଛାଡି ପଳାଇଯାଇଥିଲେ ।

ଏ ଘଟଣାକୁ ନେଇ ଗ୍ରାମବାସୀ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସଦର ଥାନାଧିକାରୀ ଘଟଣାସ୍ଥଳକୁ ଯାଇ ଉଭୟ ପକ୍ଷଙ୍କୁ ୨୭ ତାରିଖରେ ଏହାର ସମାଧାନ ନିମନ୍ତେ ଥାନାକୁ ଡକାଇଥିଲେ । ହେଲେ ଗ୍ରାମବାସୀ ଥାନାକୁ ଆସିଥିବାବେଳେ ପାଣି ନାଳ ଅବରୋଧ କରିଥିବା ବିଦ୍ୟାଧର ଥାନାକୁ ଆସିନଥିଲେ । ଏହାପରେ ବହୁ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଧାରଣାରେ ବସିବା ସହିତ ଏହାର ଆଶୁ ସମାଧାନ ପାଇଁ ଦାବି କରିଥିଲେ । ଜିଲ୍ଲାପାଳ ତହସିଲଦାରଙ୍କୁ ଜମି ମାପ କରାଇ ଏହି ପାଣିନାଳକୁ ଅବରୋଧମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking