ବର୍ମିଂହାମ: ଭାରତରେ ୨୦୨୫ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ । ଦୀର୍ଘ ୧୨ ବର୍ଷ ପରେ ଭାରତକୁ ଏହି ଆୟୋଜନ ଅଧିକାର ମିଳିଛି । ମଙ୍ଗଳବାର ଏଠାରେ ଆୟୋଜିତ ଆଇସିସି ବୈଠକରେ ଭାରତ ଏହି ଆୟୋଜକ ଅଧିକା ପାଇଁ ସଫଳ ବିଡ୍ ପ୍ରଦାନ କରିଥିଲା । ଏହା ସହିତ ବୈଠକରେ ଆଇସିସିର ଆଗାମୀ ପାଞ୍ଚବର୍ଷ ପାଇଁ କ୍ରିକେଟ୍ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ଅନୁସାରେ ୨୦୨୪ ଏବଂ ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ଯଥାକ୍ରମେ ବାଂଲାଦେଶ ଓ ଇଂଲଣ୍ଡକୁ ମିଳିଛି । ସେହିପରି ଶ୍ରୀଲଙ୍କାକୁ ପ୍ରଥମ ମହିଳା ଟି-୨୦ ଚାମ୍ପିଅନ୍ଶିପ୍ ୨୦୨୭ର ଆୟୋଜକ କରାଯାଇଛି ।
୨୦୨୪ରୁ ୨୦୨୭ ମଧ୍ୟରେ ଆୟୋଜିକ ହେବାକୁ ଥିବା ଚାରିଟି ଆଇସିସି ଇଭେଣ୍ଟ୍ ମଧ୍ୟରୁ ତିନିଟି ଏସିଆ ମହାଦେଶକୁ ମିଳିଛି । ବାକି ଗୋଟିଏ ଇଂଲଣ୍ଡ ଭାଗରେ ପଡ଼ିଛି । ମଙ୍ଗଳବାର ବୈଠକରେ ଅନୁଷ୍ଠିତ ବିଡ୍ରେ ଭାରତକୁ ଦିନିକିଆ ଏବଂ ବାଂଲାଦେଶକୁ ଟି-୨୦ ବିଶ୍ୱକପ୍ ମିଳିଥିବା ବେଳେ ଶ୍ରୀଲଙ୍କା ଭାଗରେ ଟି-୨୦ ଚାମ୍ପିଅନ୍ଶିପ୍ ପଡ଼ିଛି । ସେହିପରି ଇଂଲଣ୍ଡକୁ ଗୋଟିଏ ଟି-୨୦ ବିଶ୍ୱକପ୍ ପ୍ରଦାନ କରାଯାଇଛି । ୨୦୨୫ ମହିଳା ବିଶ୍ୱକପ୍ ଭାରତ ୧୨ ବର୍ଷ ପରେ ଆୟୋଜନ କରିବ ।
ଏହା ପୂର୍ବରୁ ଭାରତ ତିନିଟି ମହିଳା ବିଶ୍ୱକପ୍ ୧୯୭୮, ୧୯୯୭ ଏବଂ ୨୦୧୩ରେ ଆୟୋଜିତ କରିସାରିଛି । ଇଂଲଣ୍ଡ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଥିବା ବେଳେ ବାଂଲାଦେଶକୁ ଦ୍ୱିତୀୟ ଥର ପାଇଁ ଏହି ମେଗା ଇଭେଣ୍ଟ୍ର ଆୟୋଜନ ଦାୟିତ୍ୱ ମିଳିଛି । ଏହାର ପ୍ରତିକ୍ରିୟାରେ ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହ କହିଛନ୍ତି, ଭାରତ ମହିଳା ବିଶ୍ୱକପ୍ ଆୟୋଜନକୁ ସ୍ମରଣୀୟ କରିବା ନିମନ୍ତେ କୌଣସି ତ୍ରୁଟି କରିବ ନାହିଁ । ସେ କହିଛନ୍ତି, ଦେଶରେ ମହିଳା କ୍ରିକେଟ୍ ପାଇଁ ବିସିସିଆଇ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଆଇସିସି ଟୁର୍ଣ୍ଣାମେଣ୍ଟ୍ ଏହାର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ । ଜୟ ଶାହ କହିଛନ୍ତି, ଆମ ନିକଟରେ ଆଧାରଗତ ଭିତ୍ତିଭୂମି ରହିଛି ଏବଂ ମହିଳା ବିଶ୍ୱକପ୍ର ଆଗାମୀ ସଂସ୍କରଣର ବେଶ୍ ସଫଳ ହେବ ।