ଭୁବନେଶ୍ୱର: ଆଜି ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ପ୍ରବଳ ବର୍ଷାସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏହି ୭ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ।
ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନ କିମ୍ବା ବିଳମ୍ବିତ ସନ୍ଧ୍ୟା ଆଡ଼କୁ ଭୁବନେଶ୍ୱରର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ଓ କଟକର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୨ ଓ ୨୩ରେ ବର୍ଷାର ପରିମାଣ ଆହୁରି ବଢ଼ିବ । ୨୪ ଯାଏ ରାଜ୍ୟରେ ଜାରି ରହିବ ବର୍ଷା । ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଲଘୁଚାପ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଦୁର୍ବଳ ହୋଇଛି ।
ସେପଟେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ଏବଂ ବାକି ସମସ୍ତ ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି । ଅନ୍ୟ ଜିଲ୍ଲା ମାନଙ୍କରେ ବିକ୍ଷିପ୍ତ ବର୍ଷା ହୋଇଛି । ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଠାରେ ୯୧ ମିଲିମିଟର ବର୍ଷା ହୋଇଛି । ୧ ଜୁନ୍ ଠାରୁ ୨୦ ଜୁଲାଇ ଭିତରେ ରାଜ୍ୟରେ ବର୍ଷା ହୋଇଛି ୪୩୫.୬ମିଲିମିଟର । ଏହି ସମୟରେ ସ୍ୱାଭାବିକ ବର୍ଷା ହେବା କଥା ୪୧୭.୫ ମିଲିମିଟର । ୪ ପ୍ରତିଶତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ନୂଆପଡା, ମାଲକାନଗିରି, କନ୍ଧମାଳ, ଢେଙ୍କାନାଳ,ବୌଦ୍ଧ ଓ ଜଗତସିଂହପୁର ଏହି ୬ ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ସବୁଠାରୁ କମ୍ ବର୍ଷା ସୁନ୍ଦରଗଡ଼ ରେ ୩୭% ବର୍ଷା ହୋଇଥିବା ଜଣାପଡ଼ିଛି ।