ଭୁବନେଶ୍ୱର: ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପରିମଳ ଓ ଉପରେ ଗୁରୁତ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ସହରର ବିଭିନ୍ନ କାନ୍ଥରେ ବିଜ୍ଞାପନ ନ ଲଗାଇବା ପାଇଁ ପୂର୍ବରୁ ପ୍ରାବଧାନ ରହିଥିଲେ ମଧ୍ୟ ବର୍ତ୍ତମାନ ବିଏମସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି । ବିଜ୍ଞାପନ ଗୁଡ଼ିକ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବାବେଳେ କିଛି ଦିନ ପରେ ବିଜ୍ଞାପନ ପତ୍ର ଗୁଡ଼ିକ ଏଣେତେଣେ ଉଡ଼ି ପରିବେଶ ପ୍ରଦୁଷଣ କରୁଛି । ତେଣୁ କାନ୍ଥରେ ବିଜ୍ଞାପନ ଛପାଇବା ପାଇଁ ବାରଣ କରାଯାଇଛି । ତେବେ ନିୟମ ଅବମାନନା କଲେ ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପୂର୍ବକ ଜରିମାନା ଆଦାୟ କରାଯିବା ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ପରିମଳ ସହିତ ବୃକ୍ଷରୋପଣ ତଥା ବୃକ୍ଷର ରକ୍ଷଣାବେକ୍ଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏଣିକି ଗଛରେ ବିଜ୍ଞାପନ ଲଗାଇଲେ ଜରିମାନା ଗଣିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି ।
ଅନେକ ସମୟରେ ରାସ୍ତାକଡ଼ରେ ଥିବା ଗଛଗୁଡିକରେ ବିଭିନ୍ନ ବିଜ୍ଞାପନ ଲଗାଯାଇ ସୌନ୍ଦର୍ଯ୍ୟ ନଷ୍ଟ କରାଯାଉଛି । ଯେଉଁ ବ୍ୟକ୍ତି ବା ଅନୁଷ୍ଠାନ ପକ୍ଷରୁ ଗଛଗୁଡିକରେ ବିଜ୍ଞାପନ ଲଗାଯିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଅନ୍ୟପଟେ ରାସ୍ତାକଡ଼ରେ ଥିବା ଦୋକାନ, ଶୋରୁମ୍ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ସେମାନଙ୍କ ଆଖପାଖ ପରିଷ୍କାର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମାତ୍ର ଅଧିକାଂଶ ବ୍ୟବସାୟୀ ବିଏମ୍ସିର ନିର୍ଦ୍ଦେଶକୁ ଅଣଦେଖା କରିବା ସହିତ ଅସ୍ୱାସ୍ଥ୍ୟକର ପରିବେଶରେ ବ୍ୟବସାୟ କରୁଛନ୍ତି । ଯାହାଫଳରେ ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ ହେବା ସହ ପରିବେଷ ପ୍ରଦୂଷିତ ହେଉଛି । ଏଣିକି ବ୍ୟବସାୟୀମାନେ ନିୟମ ପାଳନ ନ କରିବେ ବା ନିଜ ଆଖପାଖର ୫ମିଟର ପର୍ଯ୍ୟନ୍ତ ଅ ଳକୁ ପରିଷ୍କାର ନ ରଖିବେ ସେମାନଙ୍କ ୫ଶହ ଟଙ୍କା ଜରିମାନା ଦେବାକୁ ପଡିବ । ଏଥିସହିତ ନିଜ ଦୋକାନ ବା ଶୋରୁମ୍ ସମ୍ମୁଖ ଦୁଇଟି ଡଷ୍ଟବିନ୍ ରଖିବାକୁ ପଡିବ । ସେଥି ମଧ୍ୟରୁ ଗୋଟିଏରେ ଓଦା ଏବଂ ଅନ୍ୟଟିରେ ଶୁଖିଲା ଆବର୍ଜନା ପକାଇବେ ଏବଂ ସେଗୁଡିକୁ ବିଏମ୍ସିର ସଫେଇ ଗାଡ଼ିକୁ ହସ୍ତାନ୍ତର କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।