19.1 C
Bhubaneswar
Sunday, November 24, 2024
Homeଓଡିଶାଭୁବନେଶ୍ୱରବିଜେଡିକୁ ସୌମ୍ୟଙ୍କ ଇସାରା

ବିଜେଡିକୁ ସୌମ୍ୟଙ୍କ ଇସାରା

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାଙ୍କୁ ନେଇ ଅନେକ ଆଲୋଚନା ହେଉଛି । ଏଥିରେ କୁହାଯାଉଛି , ବିଜେଡିରେ ଆଉ ତାଙ୍କ ମନ ଲାଗୁ ନାହିଁ । ସେ ଏବେ ପୁଣି ତାଙ୍କ ପୁରୁଣା ଦଳ ବିଜେପିକୁ ଫେରିବା ପାଇଁ ମନ ବଳାଇଛନ୍ତି । ଏକଥା ବି କୁହାଯାଉଛି , ବିଜେଡି କୁ ଜଣାଇଦେବା ପାଇଁ ସୌମ୍ୟରଂଜନ ଚାହୁଁଛନ୍ତି , ତାଙ୍କୁ ଅଧିକ ଅଣଦେଖା କରାଗଲେ ସେ ଦଳ ଛାଡି ପାରନ୍ତି । ସୈାମ୍ୟଙ୍କ ପାଇଁ ବିଜେପି ଦ୍ୱାର ଖୋଲା ବୋଲି ଏ ସୂଚନା ମଧ୍ୟ ବିଜେପି ନେତା ଦେଲେଣି ।
ବିଜେଡି ଭିତରେ ସୌମ୍ୟରଂଜନଙ୍କୁ ଆଉ ଏତେଟା ଗୁରୁତ୍ୱ ଦିଆଯାଉଥିବା ପରିଲକ୍ଷିତ ହେଉ ନାହିଁ । ସୈାମ୍ୟରଂଜନ ଯେଉଁ ଆଶା ଭରଷା ଧରି ବିଜେଡିକୁ ଆସିଥିଲେ ଓ ବିଧାୟକ ଭାବେ ଲଢି ଜିତି ଥିଲେ ତାହା କ୍ରମେ ଫସର ଫାଟିବାରେ ଲାଗିଛି । ରାଜ୍ୟସଭା ପଦ ଛାଡି ବିଧାୟକ ଭାବେ ସର୍ବାଧିକ ଭୋଟରେ ଜିତିବା ପରେ ସେ ଭାବିଥିଲେ ଦଳ ସୁପ୍ରିମୋ ତାଙ୍କୁ ନିଶ୍ଚୟ ମନ୍ତ୍ରୀ କରିବେ । ପ୍ରଥମ ଦଫାରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରା ନ ଯିବା ଫଳରେ ସେ ଅସନ୍ତୋଷ ଜାହିର କରିଥିଲେ । ତାଙ୍କ ପୃଷ୍ଠପୋଷକତାରେ ଓ ସମ୍ପାଦନାରେ ପ୍ରକାଶିତ ଖବର କାଗଜରେ ବିଭିନ୍ନ କୁ ଆଧାର କରି ଦଳର ମୁଖିଆଙ୍କୁ ଟାର୍ଗେଟ କରିଥିଲେ । ଏପରିକି ବିରୋଧିଙ୍କ ସ୍ୱରରେ ସ୍ୱର ମିଳାଇଲା ଭଳି ଅଫିସରଙ୍କ ଦ୍ୱାରା ଘର ପରିଚାଳିତ ହେଉଛି ଏକଥା ଲେଖିବାକୁ ମଧ୍ୟ ପଛାଇ ନ ଥିଲେ । ସୌମ୍ୟଙ୍କ ଶାଣିତ ଲେଖା ଦଳକୁ ଅସ୍ତବ୍ୟସ୍ତ କରିଥିଲା । ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ଦଳ ପୃଷ୍ଠପୋଷକତାରେ ପ୍ରକାଶିତ ଖବର କାଗଜରେ ସୌମ୍ୟଙ୍କ ବିରୁଦ୍ଧରେ ଲେଖାଯାଇ ତାଙ୍କୁ ପାଲଟା ଆକ୍ରମଣ କରାଯାଇଥିଲା । ଏବେ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ମଧ୍ୟ ସୈାମ୍ୟଙ୍କ ପାଳି ପଡିଲା ନାହିଁ । ଫଳରେ ନିକଟରେ ଯେଉଁ ସଂପ୍ରସାରଣ ହେଲା ଏହା ପରେ ସୌମ୍ୟରଂଜନ ବୁଝିଗଲେଣି ଯେ ଦଳ ସୁପ୍ରିମୋ ତାଙ୍କୁ ଆଉ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି । ଦଳ ବାହାରେ ଥିବା ବେଳେ ଯେଭଳି ଭାବରେ ତାଙ୍କୁ ବିଜେଡି ଗୁରୁତ୍ୱ ଦେଉଥିଲା, ଦଳକୁ ପ୍ରବେଶ କଲା ପରେ ତାହା ଏକ ପ୍ରକାର ବିରତ୍ୱ ହୋଇ ଯାଇଛି ।
ସୌମ୍ୟରଂଜନ ମଧ୍ୟ ବିଜେଡି ସହିତ ଚାଲ ଖେଳିବା ପାଇଁ ଆରମ୍ଭ କରିଛନ୍ତି । ନବେ ଦଶକରେ ସେ ବିଜେପିରେ ଥିଲେ । ଦଳର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ଆଗ ଧାଡିର ନେତା ଥିଲେ । ପରବର୍ତ୍ତୀ ସମୟରେ ସେ ଦଳ ବଦଳ କରି ଥିଲେ । ଚାଷୀ ଆନ୍ଦୋଳନର ପୁରୋଧା ସାଜି ବିଜେଡି ରେ ଯୋଗ ଦେଲେ । ଏବେ ଦୁଇଟି ଘଟଣା ଘଟିଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ରବିବାର ରବିନ୍ଦ୍ର ମଣ୍ଡପରେ ସୌମ୍ୟରଂଜନ ଙ୍କ ପୃଷ୍ଠପୋଷକତାରେ ଗଢିଉଠିଥିବା ସଂଗଠନ ମାଧ୍ୟମରେ ଏକ ନାଟକ ମଂଚସ୍ଥ ହୋଇଥିଲା । ଯାହାର ନାଁ ଥିଲା ‘ଆହେ ନୀଳ ଶୈଳ’ ।ଏହି କାର୍ଯ୍ୟକ୍ରମକୁ ସୈାମ୍ୟରଂଜନ ଓଡିଶାରେ ବିଜେପିର ମୁଖିଆ ଭାବେ ପରିଚିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୈାଣସି ବିଜେଡି ନେତା ବା ମନ୍ତ୍ରୀଙ୍କୁ ଡାକି ନ ଥିଲେ । ସେ ଚାହିଁଥିଲେ , ଧର୍ମେନ୍ଦ୍ରଙ୍କ ବଦଳରେ କି ଧର୍ମେନ୍ଦ୍ର ଙ୍କ ସହ ରାଜ୍ୟର ଅନ୍ୟ କୈାଣସି ମନ୍ତ୍ରୀଙ୍କୁ ମଧ୍ୟ ଡାକି ପାରି ଥାନ୍ତେ । କିନ୍ତୁ ତାହା ସେ କଲେ ନାହିଁ ।
ସୋମବାର ଅମିତଶାହଙ୍କ ଉପରେ ରଚିତ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ବିଜେପି ହିଁ ମୁଖ୍ୟତଃ ପରିଚାଳନା କରିଥିଲା । କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିଙ୍କ ସହ ବିଜେପି ର ସଂଖ୍ୟାଧିକ ନେତା ଯୋଗ ଦେଇଥିଲେ କିନ୍ତୁ ଅନ୍ୟ କୈାଣସି ଦଳର ନେତା ନ ଥିଲେ । ବିଜେଡି ମନ୍ତ୍ରୀ କିମ୍ବା ନେତା ମାନଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା କେବଳ ସୈାମ୍ୟରଂଜନ ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇଥିଲେ । ଆଉ ସେହି ସଭାରେ ସୈାମ୍ୟ ରଂଜନ ଭାଷଣ ବେଳେ କହିଲେ ନବେ ଦଶକର ଓଲଡ୍ ବଏଜ ଆସୋସିଏସନ କାର୍ଯ୍ୟକ୍ରମରେ ଯୋଗ ଦେଲା ଭଳି ଲାଗୁଛି । ତାଙ୍କୁ କିଛି ଅଡୁଆ ଲାଗୁନି । ବିଜେପିର ମୁଖ୍ୟତ ନେତା ଓ ସମର୍ଥକ ମାନେ ଥିବାରୁ ସେ ଏହି କଥା ପରୋକ୍ଷରେ ଜଣାଇ ଦେଲେ ଯେ ବିଜେପି କୁ ଫେରିଲେ ତାଙ୍କର କିଛି ଦ୍ୱିଧା ନାହିଁ ବୋଲି କୁହାଯାଉଛି । ସୈାମ୍ୟରଂଜନ ତାଙ୍କ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଙ୍କୁ ଡାକିବା ଓ ବିଜେପି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ସୈାମ୍ୟରଂଜନଙ୍କୁ ଡାକିବା ଫଳରେ ରାଜନୀତି ଭିନ୍ନ ମୋଡ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking