ଜୋହାନ୍ସବର୍ଗ : ସାଉଥ୍ ଆଫ୍ରିକାର ମହାନ୍ ଖେଳାଳି କେଭିନ୍ ଆଣ୍ଡର୍ସନ୍ ୩୫ ବର୍ଷ ବୟସରେ ପେସାଦାର ଟେନିସ୍ରୁ ଅବସର ଗ୍ରହଣ କରିଛନ୍ତି । ମଙ୍ଗଳବାର ସୋସିଆଲ୍ ମିଡିଆରେ ତାଙ୍କର ଏହି ନିଷ୍ପତ୍ତି ସୂଚନା ନିଜ ପ୍ରଶଂସକକୁ ଦେଇଛନ୍ତି । କ୍ୟାରିୟର୍ରେ ଦୁଇଥର ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ଆଣ୍ଡର୍ସନ୍ଙ୍କ ଟାଇଟଲ୍ ବିଜୟ ସ୍ୱପ୍ନ କେବେ ବି ପୂରଣ ହୋଇନଥିଲା । ଦୁଇଥର ସେ ଗ୍ରାଣ୍ଡ୍ସ୍ଲାମ୍ ଉପବିଜେତା ହୋଇଥିଲେ । ୬ ଫୁଟ୍ ୮ ଇଞ୍ଚ୍ ଉଚ୍ଚତାର ଆଣ୍ଡର୍ସନ୍ ୨୦୧୭ ୟୁଏସ୍ ଓପନ୍ ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ସ୍ପେନ୍ର ମହାନ୍ ଖେଳାଳି ରାଫେଲ୍ ନାଡାଲ୍ଙ୍କଠାରୁ ପରାଜିତ ହୋଇଥିଲେ । ଏହା ପରବର୍ତ୍ତୀ ବର୍ଷ ୨୦୧୮ରେ ୱିମ୍ବଲଡନ୍ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ପୁଣିଥରେ ତାଙ୍କ ଟାଇଟଲ୍ ବିଜୟ ସ୍ୱପ୍ନ ପୂରା ହୋଇପାରି ନଥିଲା । ଏଥର ତାଙ୍କୁ ନୋଭାକ୍ ଜୋକୋଭିଚ୍ଙ୍କ ହାତରୁ ପରାଜିତ ହେବାକୁ ପଡ଼ିଥିଲା ।
ଆଣ୍ଡର୍ସନ୍ କ୍ୟାରିୟର୍ରେ ସାତଟି ଟୁର୍ ଟାଇଟଲ୍ ନିଜ ନାମରେ କରିଛନ୍ତି । ଏହା ମଧ୍ୟରୁ ଗତବର୍ଷ ଜୁଲାଇରେ ନ୍ୟୁପୋର୍ଟରେ ଜିତିଥିବା ହଲ୍ ଅଫ୍ ଫେମ୍ ଟେନିସ୍ ଚାମ୍ପିଅନ୍ଶିପ୍ ଅନ୍ୟତମ । ସେ କହିଛନ୍ତି, ‘ଟେନିସ୍ କାରଣରୁ ମୁଁ ସାଉଥ୍ ଆଫ୍ରିକାର ଜୋହାନ୍ସବର୍ଗରୁ ପାଦକାଢ଼ି ବାସ୍ତବିକ ଦୁନିଆ ସହ ପରିଚିତ ହୋଇଥିଲି । ଏହା ଦ୍ୱାରା ମୋତେ ବହୁ ପ୍ରକାରର ଚ୍ୟାଲେଞ୍ଜ୍ ଏବଂ ଭାବନାତ୍ମକ ଅନୁଭବ ମିଳିଥିଲା ।’
ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ କେଭିନ୍ ଲେଖିଛନ୍ତି ‘ଶେଷରେ ମୁଁ ପେସାଦାର ଟେନିସ୍କୁ ଅଲ୍ବିଦା କହିବାର କଠିନ ନିଷ୍ପତ୍ତିରେ ପହଞ୍ଚି ପାରିଛି । ଏପରି ବହୁ ବ୍ୟକ୍ତି ଥିଲେ ଯେଉଁମାନେ ମୋର ଏହି ଯାତ୍ରାରେ ସହଯୋଗ କରିଛନ୍ତି ଏବଂ ସାଉଥ୍ ଆଫ୍ରିକାର ଏହି ପିଲା ନିଜ ସ୍ୱପ୍ନ କରିପାରିବ ବୋଲି ବିଶ୍ୱାସ ରଖିଥିଲେ ।’ ସେ ତାଙ୍କର ଏହି ଦୀର୍ଘ ପୋଷ୍ଟ୍ରେ ନିଜ ମାତା-ପିତା, ଭାଇ, ପତ୍ନୀ, କୋଚ୍ ଏବଂ ୟୁନିଭର୍ସିଟିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।