ନୂଆଦିଲ୍ଲୀ : ମଥୁରାର ନୌହଝୀଲ ଥାନା ଅନ୍ତର୍ଗତ ମୁବାରକପୁର ଗାଁରେ କନ୍ୟାର ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଗୁରୁବାର ରାତିରେ ମୁବାରକପୁରରେ ବିବାହ ସମାରୋହରେ କନ୍ୟାର ହତ୍ୟା ହୋଇଛି । ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି । ଅଭିଯୁକ୍ତ ଯୁବକ କନ୍ୟାକୁ ଗୁଳିକରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତର ତଲାସି ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଉକ୍ତ ଯୁବତୀଙ୍କର ନୋଏଡାରେ ଜଣେ ଯୁବକ ସହ ବିବାହ ସ୍ଥିର ହୋଇଥିଲା । ଗୁରୁବାର ବରଯାତ୍ରୀ ଆସିବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା ।
କନ୍ୟା ବେଶରେ ସଜ୍ଜ୍ୱିତ ଯୁବତୀ ସାତଫେରା ନେବା ପୂର୍ବରୁ କକ୍ଷରେ ବସିଥିଲେ । ସେହି ସମୟରେ ଏକ ଯୁବକ କକ୍ଷ ଭିତରକୁ ଯାଇ ଗୁଳିମାରି ହତ୍ୟା କରିଥିଲା । ଯୁବତୀଙ୍କ ଆଖି ନିକଟରେ ଗୁଳି ବାଜିବା ସହ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ନବବଧୂ ବେଶରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଯୁବକ ଜଣକ ସେହି ଗାଁର ବାସିନ୍ଦା ବୋଲି କୁହାଯାଉଛି । କନ୍ୟାକୁ ହତ୍ୟା ପୂର୍ବରୁ ଅଭିଯୁକ୍ତ ନିଜ ସାଥିମାନଙ୍କ ସହ ବରଯାତ୍ରୀଙ୍କୁ ଧମକାଇଥିଲା ବୋଲି ଜଣାପଡିଛି । ଖୁବ ଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।