ଭୋପାଳ : କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଆଉ ଏଭଳି ଏକ ଅନ୍ଧ ଭଲପାଇବାର ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁରରୁ । ପ୍ରେମିକଙ୍କ ପ୍ରେମରେ ଅନ୍ଧ ହୋଇ ଜଣେ ୫୦ ବର୍ଷୀୟ ମହିଳା ନିଜ ସ୍ୱାମୀ ଓ ୭ ପିଲାଙ୍କୁ ଛାଡ଼ି ୨୦ ବର୍ଷୀୟ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ମହିଳାଙ୍କ ସ୍ୱାମୀ ଏବଂ ୪ ସନ୍ତାନ ଏସପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ କାର୍ଯ୍ୟାଳୟରେ ଏହି ଘଟଣା ସମ୍ପର୍କରେ କହିଛନ୍ତି । ହରିମୋହନ ସେନ(୫୫) ନାମକ ବ୍ୟକ୍ତି କହିଛନ୍ତି ଯେ, ୩୫ ବର୍ଷ ପୂର୍ବେ ତାଙ୍କ ବିବାହ ସଞ୍ଜୁ ସେନଙ୍କ ସହ ହୋଇଥିଲା, ସଞ୍ଜୁଙ୍କ ବର୍ତ୍ତମାନ ବୟସ ୫୦ ବର୍ଷ । ଉଭୟଙ୍କର ୭ଟି ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ ତିନ ଜଣ ଝିଅଙ୍କ ବିବାହ ହୋଇସାରିଛି ।
ଆଉ ଦୁଇ ଝିଅ ଓ ଦୁଇ ପୁଅ ମାଆ ବାପାଙ୍କ ସହ ରହି ମୂଲ ମଜୁରୀ ଲାଗି ଘର ଚଳାଇବାରେ ସାହାଯ୍ୟ କରନ୍ତି । କୁହାଯାଉଛି ଯେ, ମହିଳା ଜଣକ ନିକଟରେ ସଟଇ ଥାନା ଅଞ୍ଚଳର ହିମ୍ମତପୁରା ପଞ୍ଚାୟତ ଅଧିନସ୍ଥ ଚଢେରନପୂରୱାରେ ଜଣଙ୍କ ଫସଲ କାଟିବାକୁ ଯାଇଥିଲେ, ଏହି ସମୟରେ ୨୦ ବର୍ଷୀୟ ମହେଶ ସେନଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଫସଲ କଟା ସରିବା ପରେ ସେହି ଯୁବକଙ୍କ ସହ ମହିଳାଜଣକ ଫେରାର ହୋଇଯାଇଛନ୍ତି । ମାଆ ଫେରାର ହୋଇଯିବା ପରେ ପୁଅମାନେ ମହେଶ ସେନଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ପଚାରିବାରୁ ମହେଶଙ୍କ ମାଆ ସେମାନଙ୍କୁ ଗାଳି ଗୁଲଜ କରି ବିଦା କରି ଦେଇଥିଲେ ।
ମହିଳାଙ୍କ ସ୍ୱାମୀ ଓ ପିଲାମାନଙ୍କ କହିବାନୁସାରେ, ସେମାନେ କଠିନ ପରିଶ୍ରମ କରି ସାଢେ ୩ ବସ୍ତା ଗହମ ଓ ଅଧ ବସ୍ତା ରାଶି ରଖିଥିଲେ ଓ କିଛି ନଗଦ ଟଙ୍କା ମଧ୍ୟ ଥିଲା । ସଞ୍ଜୁ ଯିବା ପୂର୍ବରୁ ସମସ୍ତ ଶସ୍ୟକୁ ବିକ୍ରି କରିବା ସହ ଘରେ ଥିବା ନଗଦ ଟଙ୍କା ଧରି ଫେରାର ହୋଇଯାଇଛନ୍ତି । ମହିଳାଙ୍କ ସ୍ୱାମୀ କହିଛନ୍ତି, ବର୍ତ୍ତମାନ ମୋ ପରିବାର, ମୋ ପିଲାମାନେ ମୋ ପତ୍ନୀଙ୍କୁ ଖୋଜି ଖୋଜି ଲୁହ ଝରାଇ ଚାରିଆଡ଼େ ବୁଲୁଛନ୍ତି । ଏଥିସହ ଶାସନ-ପ୍ରଶାସନଙ୍କୁ ଗୁହାରି କରୁଛନ୍ତି କି, ମୋ ପତ୍ନୀକୁ ଖୋଜି ମୋତେ ଫେରାଇ ଦିଅନ୍ତୁ ଓ ମହେଶ ସେନଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ ବୋଲି ସ୍ୱାମୀ ହରିମୋହନ କହିଛନ୍ତି ।