ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ପୁଅ ଲୋଭରେ ଜଣେ ମହିଳା ଏତେ ତଳକୁ ଖସି ଗଲେ ଯେ ୪ ବର୍ଷ ମଧ୍ୟରେ ୩ ଶିଶୁ କନ୍ୟାକୁ ହତ୍ୟା କରିଛନ୍ତି। ତୃତୀୟ ଶିଶୁ କନ୍ୟାକୁ ହତ୍ୟା କରିବା ପରେ ମାମଲା ସାମ୍ନାକୁ ଆସିଛି। ଡିସେମ୍ବର ୨ ତାରିଖରେ ମହିଳା ନିଜର ନବଜାତ ଶିଶୁ କନ୍ୟାକୁ ହତ୍ୟା କରିଛନ୍ତି।
ମହିଳା ଜଣକ ହେଲେ ବୋଣ୍ଟା ଲକ୍ଷ୍ମୀ। ସୂଚନା ଅନୁଯାୟୀ, ଏମ. ସ୍ୱପ୍ନା ନାମକ ଜଣେ ସ୍ୱାସ୍ଥ୍ୟକର୍ମୀ ନବଜାତର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଖବର ପାଇ ମଙ୍ଗଳବାର ଦିନ ଲକ୍ଷ୍ମୀଙ୍କ ଘରକୁ ଆସିଥିଲେ। ଶିଶୁକୁ ତୁରନ୍ତ ଗୁଣ୍ଠୁର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ପର ଦିନ ସ୍ୱାସ୍ଥ୍ୟକର୍ମୀ ଶିଶୁର ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଲକ୍ଷ୍ମୀ ଘରକୁ ଯାଇଥିଲେ। ସେଠାକୁ ଯାଇ ସେ ଯାହା ଶୁଣିଲେ ଦୁଃଖିତ ହୋଇଗଲେ। ନବଜାତଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିବା ଲକ୍ଷ୍ମୀ କହିଥିଲେ। ସେ ମୃତ ଶିଶୁକୁ ପୋତି ଦେଇଛନ୍ତି ବୋଲି ମଧ୍ୟ କହିଥିଲେ। ଲକ୍ଷ୍ମୀର କଥାବାର୍ତ୍ତା ଓ କାର୍ଯ୍ୟକଳାପ ଦେଖି ସ୍ୱାସ୍ଥ୍ୟକର୍ମୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତାପରେ ସେ ନବଜାତର ମୃତ୍ୟୁ ମାମଲାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାପରେ ଲକ୍ଷ୍ମୀ ନିଜେ ସ୍ୱୀକାର କରିଥିଲେ ଯେ ଶିଶୁର ଗଳା କାଟି ହତ୍ୟା କରିଛନ୍ତି।
ସବୁ ଜାଣିବା ପରେ ସ୍ୱାସ୍ଥ୍ୟକର୍ମୀ ଲକ୍ଷ୍ମୀ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଥିଲେ। ଗୁରୁବାର ଦିନ ପୋଲିସ ଲକ୍ଷ୍ମୀକୁ ଗିରଫ କରିଛି। ଏହାପରେ କ୍ରମାଗତ ଭାବେ ଶିଶୁ ହତ୍ୟା ମାମଲାର ଖୁଲାସା ହୋଇଥିଲା। ଲକ୍ଷ୍ମୀ ନିଜେ କହିଛି ସେ ନିଜର ଅନ୍ୟ ଦୁଇ ନବଜାତ ଶିଶୁ କନ୍ୟାଙ୍କୁ ମଧ୍ୟ ହତ୍ୟା କରିଛି। ମହିଳାଙ୍କ ବିରୋଧରେ ଧାରା ୩୦୨ ଓ ୨୦୧ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି।