ଗଞ୍ଜାମ : ରାଜ୍ୟ ସରକାର ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ମାଗଣାରେ ଯୋଗାଇଦେବା ବ୍ୟବସ୍ଥା କରିଛନ୍ତି । ଫଳରେ ଲକ୍ଷାଧିକ ରୋଗୀ ଉପକୃତ ହେଉଛନ୍ତି । ଏହା ସତ୍ତ୍ୱେ ସ୍ଥାନୀୟ ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲର କର୍କଟ ରୋଗ ବିଭାଗରେ ରୋଗୀଙ୍କ “କେମୋଥେରାପି’ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ହେଉଥିବା “ମୋନୋକ୍ଳୋନାଲ୍ ଆଣ୍ଟିବଡ଼ିଜ ‘ ଇଞ୍ଜେକ୍ସନ୍ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ରୋଗୀମାନଙ୍କୁ ସୁଦୁର କଟକ, ବିଶାଖପାଟଣା ଆଦି ସହରକୁ ଯିବାକୁ କୁହାଯାଉଛି । ସରକାରଙ୍କ ପକ୍ଷରୁ ଏହି ଔଷଧ ଯୋଗାଣ ହେଉନଥିବା ଦର୍ଶାଇ ଡାକ୍ତରମାନେ ଏଭଳି ଭାବେ ରୋଗୀଙ୍କୁ ସେବାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଏହି ଇଞ୍ଜେକସନର ଦାମ ଗୋଟିଏ ପିଛା ୨୦ ହଜାରରୁ ୨୨ ହଜାର ପଡ଼ୁଥିବା ବେଳେ ଗରୀବ ରୋଗୀ ମାନେ ଏତେ ପରିମାଣର ଅର୍ଥର ବନ୍ଦୋବସ୍ତ କରିପାରୁ ନଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଳା କିମ୍ବା ଆଖପାଖର ଲୋକେ ଏମ୍କେସିଜିରେ ଚିକିତ୍ସା ସେବା ପାଇଲେ ଯେ କୌଣସି ପ୍ରକାରେ ମାଗଣାରେ ପାଇପାରୁଥିଲେ, କିନ୍ତୁ ସୁଦୁର କଟକ, ବିଶାଖପାଟଣା ଗଲେ ରୋଗୀଙ୍କ ସହ ଅନ୍ତତଃପକ୍ଷେ ଆଉ ଦୁଇ ଜଣ ରେଗୀଙ୍କୁ ମଧ୍ୟ ସେଠାକୁ ଯିବା ଜରୁରୀ ହୋଇପଡ଼ୁଛି । ଏହା ବ୍ୟୟବହୁଳ ପ୍ରୟାସ ହୋଇଥିବାରୁ ରୋଗୀମାନେ ରୋଗରୁ ମୁକ୍ତି ପାଇବା ପାଇଁ ନିଜର ସର୍ବସ୍ୱ ବିକି ଭାଙ୍ଗି ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର କୋଟି କୋଟି ଟଙ୍କାର ଔଷଧ ଯୋଗାଣ କରିଥିବା ବେଳେ ନିର୍ଦିଷ୍ଟ ଭାବେ ଏହି ଇଞ୍ଜେକ୍ସନକୁ ବାଦ ଦେଇଛନ୍ତି କାହିିଁକି ବୋଲି ଗରୀବ ରୋଗୀ ମାନେ ପ୍ରଶ୍ନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଏମକେସିଜି ହସପିଟାଲର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ସଂପର୍କ କରିବାରେ ସେ କହିଛନ୍ତି ଯେ ଏହି ଇଞ୍ଜେକ୍ସନ ୧୫ ଦିନ ପୂର୍ବେ ୧୩ଟି ଇଞ୍ଜେକ୍ସନ ମିଳିଥିଲା । ସେଗୁଡିକ ରୋଗୀଙ୍କୁ ଦିଆଯିବା ପରେ ଅଭାବ ସୃଷ୍ଟି ହୋଇଛି । ଅଧିକ ପରିମାଣର ଇଞ୍ଜେକ୍ସନ ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଅବଶ୍ୟ କର୍କଟ ରୋଗୀଙ୍କ ପାଇଁ ଅନ୍ୟାନ୍ୟ ଔଷଧ ଉପଲବଧ ହେଉଛି, କିନ୍ତୁ କେତେକ ରୋଗୀ ଏହି ଇଞ୍ଜେକ୍ସନର ଦାବି କରୁଛନ୍ତି ।
ସରକାରଙ୍କ ପକ୍ଷରୁ ଇଞ୍ଜେକ୍ସନ ଯୋଗାଣ ହେବା ମାତ୍ରେ ରୋଗୀ ସୁବିଧା ପାଇବେ ବୋଲି ପ୍ରଫେସର ମିଶ୍ର କହିଛନ୍ତି । ବ୍ରହ୍ମପୁର ସହରରେ ଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସିଟି ହସପିଟାଲରେ ମଧ୍ୟ କର୍କଟ ରୋଗର ଚିକିତ୍ସା ଚାଲିଥିବା ବେଳେ ସେଠାରେ ବି ଏହି ଇଞ୍ଜେକ୍ସନ ଉପଲବଧ ହେଉନଥିବା କହିଛନ୍ତି ଚିକିତ୍ସା ଦାୟିତ୍ୱରେ ଥିବା ବରିଷ୍ଠ ଶଲ୍ୟ ବିଶେଷଜ୍ଞା ଡାକ୍ତର ପ୍ରଶାନ୍ତ କୁମାର ପାତ୍ର । ସୂଚନାଯୋଗ୍ୟ ଯେ ଏମକେସିଜିରେ ଏବଂ ସିଟି ହସପିଟାଲରେ କର୍କଟ ରେଗୀଙ୍କୁ ଉତ୍ତମ ଚିକିତ୍ସା ସେବା ମିଳୁଥିବା ନେଇ ବହୁ ପ୍ରଚାର ହୋଇଥିବାରୁ ଦୁରଦୁରାନ୍ତରୁ ବହୁ ଗରୀବ କର୍କଟ ରୋଗୀ ଏଠାକୁ ଆସୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଇଞ୍ଜେ୍କ୍ସନ ନ ମିଳିବାରୁ ନିରାଶ ହୋଇ ଫେରୁଛନ୍ତି । ରାଜ୍ୟ ସ୍ମାସ୍ଥ୍ୟ ବିଭାଗ, ଗଞ୍ଜାମ ଜିଲ୍ଲାପାଳ ରୋଗୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି ।