ଲଣ୍ଡନ: ଆଗାମୀ ଅକ୍ଟୋବର-ନଭେମ୍ବରରେ ୟୁଏଇରେ ହେବାକୁ ଥିବା ଆଇସିସି ଟି-୨୦ ୱାର୍ଲ୍ଡକପ୍ରେ ଇଂଲଣ୍ଡ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ ଖେଳି ନପାରନ୍ତି । ମାନସିକ ସ୍ୱାସ୍ଥ୍ୟ କାରଣରୁ ଷ୍ଟୋକ୍ସ ଗତ ଜୁଲାଇରୁ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଦୂରେଇ ରହିଛନ୍ତି । ସେ ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଚଳିତ ଟେଷ୍ଟ ସିରିଜ୍ରେ ଇଂଲଣ୍ଡ ଟିମ୍ର ସଦସ୍ୟ ନଥିବା ବେଳେ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ୨୦୨୧ର ଦ୍ୱିତୀୟ ଚରଣରେ ମଧ୍ୟ ସାମିଲ ହେବେ ନାହିଁ । ଫଳରେ ରାଜସ୍ଥାନ ରୟାଲ୍ସ ତାଙ୍କ ବଦଳ ଖେଳାଳି ଭାବେ ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର୍ ଓଶାନେ ଥୋମାସ୍ଙ୍କୁ ଟିମ୍ରେ ସାମିଲ କରିଛି । ଡେଲି ମେଲ୍ର ଏକ ରିପୋର୍ଟ ଅନୁସାରେ ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ୱାର୍ଲ୍ଡ କପ୍ ପାଇଁ ଷ୍ଟୋକ୍ସ ଦୁବାଇ ଯାତ୍ରା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ୋତବେ ତାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି ଯେ ସେ ଏବେ କ୍ରିକେଟ୍ ସମ୍ପର୍କରେ କୌଣସି ଚିନ୍ତା କରିନାହାନ୍ତି । ଟି-୨୦ ୱାର୍ଲ୍ଡ କପ୍ ପାଇଁ ଖେଳାଳି ତାଲିକା ଘୋଷଣାର ଶେଷ ତାରିଖ ସେପ୍ଟେମ୍ବର ୧୦ ଥିବା ବେଳେ ଇଂଲଣ୍ଡ ଚୟନକର୍ତ୍ତା ଚଳିତ ସପ୍ତାହରେ ୧୫ ଜଣିଆ ଖେଳାଳି ଓ ୩ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା ପାଇଁ ବୈଠକ କରିପାରନ୍ତି ଏବଂ ସେପ୍ଟେମ୍ବର ୯ ତାରିଖରେ ଟିମ୍ ଘୋଷଣା ହୋଇପାରେ ।