କଟକ: ବିଗତ କିଛି ଦିନ ଧରି ଚାଲିଆସୁଛି ଅଲିଉଡ୍ର ପ୍ରଚଳିତ ଯୋଡ଼ି ଅନୁଭବ ବର୍ଷାଙ୍କ ପାରିବାରିକ କଳହ । ତେବେ ଅନୁଭବ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋର୍ଡ ଦେଖିବାକୁ ମିଳିଛି । ପାରିବାରିକ ଅଦାଲତରେ ବିଚାର ତ୍ୱରିତ କରିବାର ନିର୍ଦ୍ଦେଶ ଦେଇ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।
ଦିଲ୍ଲୀର ପଟିଆଲା ହାଉସ୍ରେ ଏହି ବିବାଦର ଆରମ୍ଭ ହୋଇଥିଲା । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷାଙ୍କ ଅନୁରୋଧ କ୍ରମେ ଏହି ମାମଲାର ପ୍ରକ୍ରିୟା କଟକର ପାରିବାରିକ ଅଦାଲତରେ ଆରମ୍ଭ ହୋଇଥିଲା । ହିନ୍ଦୁ ମେରିଟ ଆକ୍ଟ ଅବା ଫ୍ୟାମିଲି ଆକ୍ଟ ଅନୁଯାୟୀ ଯେଉଁ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ଏହି ବିବାଦର ସମାଧାନ କରାଯାଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ଉଭୟଙ୍କୁ ବିଗତ କିଛି ଦିନ ଧରି କାଇନ୍ସେଲିଂ କରାଯାଉଥିଲା ଏବଂ ସେଇ କାଉନ୍ସେଲିଂ ପ୍ରକ୍ରିୟା ଜାରୀ ରହିଥିବାବେଳେ ଏହି ମାମଲାରେ ସମ୍ପୃକ୍ତ କାଉନ୍ସେଲର ଏକ ରିପୋର୍ଟ ପ୍ରଦାନ କରି କହିଥିଲେ ଯେ ଯଦିଓ ଏପର୍ଯ୍ୟନ୍ତ ଦୁହିଁଙ୍କ ଭିତରେ କିଛି ସମାଧାନ ହୋଇପାରିନାହିଁ କିନ୍ତୁ କିଛି ଦିନ ସମୟ ଦେଲେ ଏହାର ସମାଧାନ କରାଯାଇପାରିବ । କିନ୍ତୁ ଏହାକୁ ଅନୁଭବଙ୍କ ପକ୍ଷରୁ ବିରୋଧ କରାଯାଇଥିଲା ଏବଂ ଅନୁଭବ ଏହି ମାମଲାର ତ୍ୱରିତ ବିଚାର କରି ଏହାର ଅନ୍ତ କରିବାକୁ ଚାହୁଁଥିଲେ । ତେଣୁ ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଅନୁଭବ । ତେବେ କିଛି ଦିନ ପରେ ମଧ୍ୟ ଦୁହିଁଙ୍କ ଭିତରେ କିଛି ସମାଧାନ ହୋବାର ବାଟ ଦେଖାଯାଇନଥିଲା । ଯେଉଁ କାରଣରୁ ମାମଲାକୁ ତ୍ୱରିତ କରିବା ପାଇଁ ଆଜି ହାଇକୋର୍ଟଙ୍କ ତଳ କୋର୍ଟକୁ ନିର୍ଦ୍ଦେଶ ଆସିଛି । ତେବେ ବିଚାର ପ୍ରକ୍ରିୟାରେ ଅଗ୍ରଗତି ହେବାର ସୂଚନା ମିଳିଛି ।