ନୂଆଦିଲ୍ଲୀ: ୟୁଜିସି (ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ) ପକ୍ଷରୁ ଦେଶର ୨୪ଟି ବିଶ୍ୱବିଦ୍ୟାଳୟକୁ ଜାଲ୍ ଘୋଷିତ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଏଥିମଧ୍ୟରେ ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ସାମିଲ ଥିବା ଜଣାପଡିଛି । ଏଗୁଡିକ ହେଲା ରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦ ଓ ନର୍ଥ ଓଡ଼ିଶା ୟୁନିଭର୍ସିଟୀ ଅଫ୍ ଅଗ୍ରିକଲଚର ଆଣ୍ଡ୍ ଟେକ୍ନୋଲୋଜି । ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଉପଲବ୍ଧ ଛାତ୍ରଛାତ୍ରୀ, ଅଭିଭାବକ, ସାଧାରଣ ଜନତାଙ୍କ ମତାମତକୁ ଆଧାର କରି ୟୁଜିସି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହାବ୍ୟତୀତ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଭାରତୀୟ ଶିକ୍ଷା ପରିଷଦ ଓ ନୂଆଦିଲ୍ଲୀସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ୍ ମ୍ୟାନେଜମେଣ୍ଟ ମଧ୍ୟ ୟୁଜିସି ନିୟମ-୧୯୫୬କୁ ଉଲ୍ଲଘଂନ କରିଥିବା କୁହାଯାଇଛି । ତେବେ ଏମାନଙ୍କ ମାମଲା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ଥିବାରୁ ୟୁଜିସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଉପରୋକ୍ତ ୨୪ଟି ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୮ଟି ଜାଲ୍ ବିଶ୍ୱବିଦ୍ୟାଳୟ ରହିଛି । ଏଗୁଡିକ ହେଲା ବରଣାସେୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (ବାରାଣସୀ), ମହିଳ ଗ୍ରାମ ବିଦ୍ୟାପୀଠ (ଆହ୍ଲାବାଦ), ଗାନ୍ଧୀ ହିନଦୀ ବିଦ୍ୟାପୀଠ (ଆହ୍ଲାବାଦ), ନ୍ୟାସନାଲ ୟୁନିଭର୍ସିଟୀ ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପ୍ୟାଥି (କାନପୁର), ନେତାଜୀ ସୁଭାସ ଚନ୍ଦ୍ର ବୋଷ ଓପନ ୟୁନିଭର୍ସିଟୀ (ଅଲିଗଡ), ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ (ମଥୁରା), ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ (ପ୍ରତାପଗଡ) ଓ ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ (ନୋଏଡା) । ଉତ୍ତରପ୍ରଦେଶ ପଛକ ଦିଲ୍ଲୀ ତାଲିକାର ୨ୟ ସ୍ଥାନରେ ରହିଛି । ଏଠାରେ ୭ଟି ଜାଲ୍ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି । ଏଗୁଡିକ ହେଲା କମର୍ସିଆଲ ୟୁନିଭର୍ସଟୀ ଲିମିଟେଡ, ୟୁନାଇଟେଡ ନେସନ୍ସ ୟୁନିଭର୍ସିଟୀ, ଭୋକେସନାଲ ୟୁନିଭର୍ସିଟୀ, ଏଡିଆର ସେଣ୍ଟ୍ରିକ୍ ଜୁଡିସିଆଲ ୟୁନିଭର୍ସିଟୀ, ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଇଂଜିନିୟରିଂ, ବିଶ୍ୱକର୍ମା ଓପନ ୟୁନିଭର୍ସିଟୀ ଫର୍ ସେଲ୍ଫ ଏମ୍ପଲୟମେଣ୍ଟ ଓ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ । ପଶ୍ଚିମବଙ୍ଗରେ ୨ଟି ଓ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ପୁଡୁଚେରୀରେ ଗୋଟିଏ ଲେଖାଏଁ ଜାଲ୍ ବିଶ୍ୱବିଦ୍ୟାଳୟ ଥିବା ଜଣାପଡିଛି । ଏହି ଜାଲ୍ ବିଶ୍ୱବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଜିସି ପକ୍ଷରୁ ସଂପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବଙ୍କୁ ପତ୍ର ଜରିଆରେ ଅନୁରୋଧ କରାଯାଇଛି ।