ଦେବଗଡ଼ : ଦେବଗଡ଼ ଥାନା ସୁଗୁଡ଼ା ଗ୍ରାମରେ ଗତ ୨୩ ତାରିଖ ସଂଗଠିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ଆଜି ପୁଲିସ ମାତାଲ ହତ୍ୟାକାରୀକୁ ଗିରଫ କରିଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲଗା ଠେଙ୍ଗାକୁ ଜବତ କରିଛି । ସୂଚନା ଅନୁଯାୟୀ, ଦେବଗଡ଼ ଥାନା ସୁଗୁଡ଼ା ଗ୍ରାମର ଧୀର ସାହୁ (୫୦) ଗତ ଶୁକ୍ରବାର ସରକାରୀ ମଦ ଭାଟିକୁ ମଦ ପିଇବା ପାଇଁ ଯାଇଥିବା ସମୟରେ ସେହି ଗ୍ରାମର ପିଣ୍ଟୁ ପ୍ରଧାନ ଓ ଧୀର ସାହୁଙ୍କ ପୁତୁରା ପପନ ସାହୁ ମଧ୍ୟ ଉକ୍ତ ମଦଭାଟିକୁ ମଦ ପିଇବା ପାଇଁ ଯାଇଥିଲେ । ମାତ୍ର ପପନ ପ୍ରଥମେ ସେଠାରୁ ନିଜ ଘରକୁ ଫେରି ଆସିଥିଲେ । ପିଣ୍ଟୁ ଅତ୍ୟଧିକ ନିଶାଗ୍ରସ୍ତ ହୋଇ ଗାଁ ମୁଣ୍ଡରେ ଥିବା କାମନାଗୁଡ଼ି ରାସ୍ତାରେ ପଡ଼ିରହିଥିଲେ । ପଛରେ ଧୀର ଘରକୁ ଫେରୁଥିବାବେଳେ ପିଣ୍ଟୁ ରାସ୍ତାରେ ପଡ଼ିଥିବା ଦେଖି ଗୋଇଠା ମାରିବା ସହ ପିଣ୍ଟୁର ପକେଟ୍ରେ ଥିବା ୧ ହଜାର ଟଙ୍କା ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ । ଏହାକୁ ପିଣ୍ଟୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପିଣ୍ଟୁ ଧୀରଙ୍କୁ କାମନାଗୁଡ଼ି ମନ୍ଦିର ବେଢ଼ାକୁ ଟାଣି ନେଇ ଏକ ବାଡି ସାହାଯ୍ୟରେ ପିଟିଥିଲା । ଲାଠି ମାଡ଼ରେ ଧୀରଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଧୀର ନିସ୍ତେଜ ହୋଇଯିବା ପରେ ପିଣ୍ଟୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସକାଳେ ଏକ ଜୁଆଁଳି ଚୋରିକୁ କେନ୍ଦ୍ର କରି ଧୀରଙ୍କୁ ପୁତୁରା ପପନ ମାଡ଼ ମାରିଥିବା ଏବଂ ହତ୍ୟା ଧମକ ଦେଇଥିବାରୁ ଏହି ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରି ମୃତ ଧୀରଙ୍କ ପୁଅ ସାଗର ଦେବଗଡ଼ ଥାନାରେ ପପନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ ଘଟଣା ତଦନ୍ତ ସମୟରେ ଏହି ହତ୍ୟାକାଣ୍ଡରେ ପିଣ୍ଟୁର ସମ୍ପୃକ୍ତି ଥିବା ଜାଣିବା ପରେ ଗତକାଲି ରାତ୍ରୀରେ ଗିରଫ କରିଥିଲେ । ଆଜି ହତ୍ୟାଅଭିଯୁକ୍ତ ପିଣ୍ଟୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।