ରାଉରକେଲା : ସମ୍ପ୍ରତ୍ତି ଇସ୍ପାତ ସହରରେ କରୋନା ବିଭୀଷିକା ଜାରି ରହିଛି । ଏହିମଧ୍ୟରେ ରାଉରକେଲା ଇସ୍ପାତ କାରଖାନାର ମୋଟ ୯ ଜଣ କର୍ମଚାରୀ ସମେତ ଏସ୍ଓଏସ୍ ଭିଲେଜ୍ର ନିର୍ଦ୍ଦେଶକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଭାରତୀୟମଜଦୁର ମଞ୍ଚ(ବିଏମଏସ୍) ଅନୁବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ରିକ୍ସ) ସଭାପତି ହିମାଂଶୁ ବଳଙ୍କ ସୂଚନା ଅନୁଯାୟୀ, ଆର୍ଏସ୍ପି କୋକଓଭେନର ସିତାରାମ ବଡ଼ାଇକ, ବ୍ଲାଷ୍ଟ ଫର୍ଣ୍ଣେସର ଜିଏମ୍ ପ୍ୟାଟ୍ରିକ ଟପ୍ପୋ ଓ ଟ୍ରାଫିକ ଏଣ୍ଡର ମେଟେରିଆଲ୍ର ଡିଲେଶ୍ୱର କରୋନାରେ ମୃତ୍ୟୁବରଣ କରିଛନ୍ତି । ଅନୁରୂପଭାବେ ୧୮ ତାରିଖରୁ କରୋନା ପଜିଟିଭ ହୋଇଥିବା ରାଉରକେଲା ଏସଓଏସ୍ ଭିଲେଜ୍ର ନିର୍ଦ୍ଦେଶକ ତପନ ସୁନା ରବାବାର ସନ୍ଧ୍ୟାରେ ହାଇଟେକ୍ ହସ୍ପିଟାଲରେ ଶେଷ ନିଶ୍ୱାସ ନେଇଛନ୍ତି । ପ୍ରଥମେ ତାଙ୍କୁ ହୋମ ଆଇସୋଲେସନ୍ କରାଯାଇଥିଲା । ଶ୍ୱାସକ୍ରିୟାରେ କଷ୍ଟ ହେଉଥିବା ଯୋଗୁ ପରେ ତାଙ୍କୁ ରାଉରକେଲା ହାଇଟେକ୍ରେ ଭର୍ତ୍ତି କରାଯାଇଥିଲା । କରୋନା ଟିକାକରଣ ଅଭିଯାନ କରାଯାଉଛି । ଏ ନେଇ ଟିକାକରଣ କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୂରତା ରହୁନ ଥିବା ଅଭିଯୋଗ ହୋଇଛି । ସେକ୍ଟର-୬ ହେଲ୍ଥ ସେଣ୍ଟରରେ ଠାରେ ଟିକାକରଣ ପାଇଁ ଭୋର ୩ଟାରୁ ପ୍ରବଳ ଗହଳି ଦେଖାଯାଇଥିବା ଦୃଶ୍ୟ ସମ୍ମୁଖକୁ ଆସିଛି । ସେହିପରି ମେଡ଼ିକାଲ ବ୍ୟବହୃତ ଅମ୍ଲଜାନ ସିଲିଣ୍ଡର କଳାବଜାରୀ ରୋକିବା ଓ ଉପଲବ୍ଧିତା ସମ୍ପର୍କରେ ସୁନ୍ଦରଗଡ଼ ସିଡିଏମଓ ସୂଚନା ଜାରି କରିଛନ୍ତି । ୨୪୧ ଟି ସିଲିଣ୍ଡର ପାରିପାଶ୍ୱର୍ିକ ଅଞ୍ଚଳ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରାୟ ୩ଶହ ଟି ଅକ୍ସିଜେନ୍ କନସେଣ୍ଟର୍ସ ମଧ୍ୟ ରହିଛି । ଶିବା ସିମେଣ୍ଟ ଠାରୁ ୨୫ଟି, ଡାଲମିଆ ସିମେଣ୍ଟ ଠାରୁ ୨୫ଟି, ସ୍କାନ ଷ୍ଟିଲ ଠାରୁ ୧୫ଟି , ଏସଏମଏଫ୍ଏ ଠାରୁ ୧୦ଟି, ଚାରିଅଟ ସିମେଣ୍ଟ ରୁ ୪ଟି, ଖାଳି ଜମ୍ବୋ ସିଲିଣ୍ଡର ଅଣାଯାଇଛି । ଘରୋଇ ନର୍ସିଂହୋମ୍ଙ୍କୁ ୮୦ଟି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ । ପ୍ରଶାସନ ଓ ସ୍ୱାସ୍ଥ୍ର୍ୟବିଭାଗ ନିକଟରେ ୨୨୬ଟି ସିଲିଣ୍ଡର ମହଜୁଦ ରହିଛି । ଆଗାମୀ ଦିନରେ ଭେଣ୍ଟିଲେଟର୍ ଓ ଆକ୍ରାନ୍ତଙ୍କ ସେବାପାଇଁ ୫ଶହ ଜମ୍ବୋ ସିଲିଣ୍ଡର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି ଜିଲ୍ଲାରେ ସଂକ୍ରମଣ ୪୩୪ ରହିଛି । ସହରରେ ସକ୍ରିୟ ଏନ୍ଫୋର୍ସମେଣ୍ଟ ଟିମ୍ ମାସ୍କ ନିମୟ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୮ ହଜାର ୪ଶହ ଟଙ୍କା ଜରିମନା ଆଦାୟ କରିଛନ୍ତି । ସେହିପରି କୋଭିଡ୍ ନିୟମ ଅନୁପାଳନ ନ କରିଥିବା ଯୋଗୁ ପ୍ଲାଣ୍ଟସାଇଟ୍ ଥାନା ଅର୍ନ୍ତଗତ ୩ଟି ଓ ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ଗୋଟିଏ ଦୋକାନକୁ ସିଲ୍ କରାଯାଇଛି ।