27.1 C
Bhubaneswar
Saturday, November 23, 2024
Homeଓଡିଶା*ପ୍ରବଳ ବିରୋଧ ସତ୍ତ୍ୱେ ଝାରପଡ଼ା ହାଟ ଠାରେ ବିଏମସିର ଉଚ୍ଛେଦ କାର୍ଯ୍ୟକ୍ରମ ସଫଳ*

*ପ୍ରବଳ ବିରୋଧ ସତ୍ତ୍ୱେ ଝାରପଡ଼ା ହାଟ ଠାରେ ବିଏମସିର ଉଚ୍ଛେଦ କାର୍ଯ୍ୟକ୍ରମ ସଫଳ*

 

ଭୁବନେଶ୍ୱର  : ପ୍ରବଳ ବିରୋଧ ଓ ହଟ୍ଟଗୋଳ ସତ୍ତ୍ୱେ ଆଜି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଝାରପଡ଼ା ହାଟରେ ନିର୍ମାଣାଧୀନ ଅନଧିକୃତ ଦୋକାନ ଗୁଡିକର ଉଚ୍ଛେଦ କରାଯାଇଛି । ଏହି କାର୍ଯ୍ୟକ୍ରମ ବେଳେ ୧୨ଟି ନିର୍ମାଣାଧୀନ ଆଜବେଷ୍ଟସ ସିଟ ଯୁକ୍ତ ଦୋକାନକୁ ବିଏମସି ଓ ବିଡ଼ିଏ ର ମିଳିତ ଟିମ ଉଚ୍ଛେଦ କରିଥିଲେ । ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ ପୋଲିସର ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ବିଡ଼ିଏ ନାମରେ ଥିବା ୩ ଏକର ବହୁମୂଲ୍ୟ ସରକାରୀ ଜମିରେ ବେଆଇନ ଦୋକାନ ବଜାର ନିର୍ମାଣ ହେବା ଦ୍ୱାରା ରାସ୍ତା ସଙ୍କୁଚିତ ହେବା ସଂଗେ ସଂଗେ ଝାରପଡ଼ା କେନାଲ ରୋଡ଼ ନିକଟସ୍ଥ ଅଂଚଳରେ ବୃହତ୍ତ ଟ୍ରାଫିକ ସମସ୍ୟା ଉପୁଜିଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧୁରୀ ଏହି ହାଟକୁ ଅନୁଧ୍ୟାନ ନିମନ୍ତେ ପହଂଚିଥିଲେ । ଅନୁଧ୍ୟାନ ବେଳେ ଦେଖା ଯାଇଥିଲା ଯେ ସରକାରୀ ଜମିରେ ଅନଧିକୃତ ଦୋକାନ ନିର୍ମାଣ ଯୋଗୁଁ ଜଟିଳ ଟ୍ରାଫିକ ସମସ୍ୟା ଉପୁଜୁଛି ଯାହା ଦ୍ୱାରା ସ୍ଥାନୀୟ ଜନତା ହନ୍ତସନ୍ତ ହେଉଛନ୍ତି । ବିଡିଏ ର ବହୁମୂଲ୍ୟ ଜମି ଉପରେ ଏହିଭଳି ବେଆଇନ ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଭୁବନେଶ୍ୱର ବାସୀଙ୍କ ବୃହତ୍ତ ସ୍ୱାର୍ଥ ଓ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ସ୍ଥାନରେ ବହୁତଳ ମାର୍କେଟ କମ୍ପ୍ଲେକ୍ସ ଓ ପନିପରିବା ହାଟ ନିର୍ମାଣ କରାଯିବା ସହ ବର୍ତ୍ତମାନ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ଶ୍ରୀ ଚୌଧୁରୀ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ସ୍ଥାନର ଉନ୍ନତିକରଣ ଖୁବଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚୋୖଧୁରୀ ଜଣାଇଥିଲେ ଯାହାକୁ ଉପସ୍ଥିତ ଜନତା ସ୍ୱାଗତ କରିଥିଲେ। ହାଟ ମଧ୍ୟରେ ନୂତନ ଭାବରେ ନିର୍ମାଣାଧୀନ ବେଆଇନ ଦୋକାନ ଘର ଗୁଡିକୁ ତୁରନ୍ତ ଉଚ୍ଛେଦ ପାଇଁ କମିଶନର ନିର୍ଦେଶ ଦେଇଥିଲେ ।

କମିଶନରଙ୍କ ନିର୍ଦେଶ କ୍ରମେ ବିଡ଼ିଏ ଅତିରିକ୍ତ କମିଶନର ହରିଶ୍ଚନ୍ଦ୍ର ନାୟକ, ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟନାୟକ, ସହାୟକ କମିଶନର ଲିଲନ ପ୍ରସାଦ ସାହୁ ଓ ଦକ୍ଷିଣ ପୂର୍ବ ମଣ୍ଡଳର ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମସି ଓ ବିଡ଼ିଏର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ହାଟ ଠାରେ ପହଂଚିଥିଲା । ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ଏସିପି ରଜତ ରାୟ ଓ ଲଷ୍ମୀସାଗର ଆଇଆଇସି ଭରତ ସାହୁଙ୍କ ନେତୃତ୍ୱରେ ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା । ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭରେ ସ୍ଥାନୀୟ କିଛି ଲୋକ ପ୍ରବଳ ବିରୋଧ ଓ ହଟ୍ଟଗୋଳ କରିବା ସହ ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରି ଘେରାଉ କରିବା ପାଇଁ ଚେଷ୍ଟା କରିଥିଲେ । ଏହା ସତ୍ତ୍ୱେ ବିଏମସି କମିଶନରଙ୍କ ନିର୍ଦେଶ କ୍ରମେ ନିର୍ମାଣାଧୀନ ୧୨ଟି ଆଜବେଷ୍ଟସ ସିଟ ଯୁକ୍ତ ଦୋକାନକୁ ମିଳିତ ଟିମ ଜେସିବି ଦ୍ୱାରା ଉଚ୍ଛେଦ କରିଥିଲେ । ଉଚ୍ଛେଦ କାର୍ଯ୍ୟକ୍ରମରେ ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ପ୍ରମୋଦ ଜେନା, କିଶୋର ରାଉତରାୟ, ହରିହର ରାଉତ, ଏନ୍ଫୋର୍ସମେଣ୍ଟ ସହାୟକ ମାନସ ବିଶ୍ୱାଳ, ୱାର୍ଡ ଅଫିସର ଅମୀୟ ସ୍ୱାଇଁ, ପରିମଳ ବିଶେଷଜ୍ଞ ପବିତ୍ର ପଣ୍ଡା ଓ ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବହୁମୂଲ୍ୟ ସରକାରୀ ଜମିର ସୁରକ୍ଷା ଏବଂ ଏହାକୁ ସାଧାରଣ ଜନତାଙ୍କ ବ୍ୟବହାର ଓ ନିଯୁକ୍ତି ପାଇଁ ଉଚ୍ଛେଦମୁକ୍ତ କରାଯିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ନିଆଯାଇଥିବା ଆଜିର ଏହି ପଦକ୍ଷେପକୁ ସ୍ଥାନୀୟ ଜନତା ଓ ଭୁବନେଶ୍ୱର ବାସିନ୍ଦା ସ୍ୱାଗତ କରିଛନ୍ତି । ସରକାରୀ ଜମି ଓ ରାସ୍ତା ଉପରୁ ବେଆଇନ ନିର୍ମାଣ ହଟାଇବା ନିମନ୍ତେ ଏହି ଭଳି ଉଚ୍ଛେଦ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସହାୟକ କମିଶନର ଲିଲନ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking