#ଧନୁମୁଆଁ ★★★★ #ଅରବିନ୍ଦଦାସ
- ସକାଳୁ ଆଜି କେଉଁ କଥାରେ ମନ ଲାଗୁନଥିଲା ସବିତାଙ୍କ ର।ନିର୍ଜଳା ଓପବାସ କରିଛନ୍ତି ସେ।
- ଧନୁସଂକ୍ରାନ୍ତି ରେ ଠାକୁରଙ୍କ ପାଖରେ
ଭାସ୍କର ଆଣି ଦେଇଥିବା ସ୍ପେଶାଲ ବ୍ରହ୍ମପୁରୀ ମୁଆଁ ଭୋଗ ଦିଅନ୍ତି।ଧନୁମୁଆଁ ଭାରି ପ୍ରିୟ ସବିତାଙ୍କ’ର।
ଧନୁମୁଆଁ ଓ ଭାସ୍କର ପାତ୍ର ; ଯେମିତି ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିଲେ ଏ ଦୁହେଁ ସବିତାଙ୍କ ପାଇଁ।
ଧନୁସଂକ୍ରାନ୍ତି ଆଠ ଦଶଦିନ ପୂର୍ବରୁ ଆଗ ଖୋଜାପଡ଼େ ଭାସ୍କରକୁ।ବ୍ରହ୍ମପୁର ଆଚାର,ପାମ୍ପଡ଼ ବ୍ୟବସାୟ କରୁଥିବା ଭାସ୍କର କୁ ଆଗୁଆ ବରାଦ ଦିଅନ୍ତି ସବିତା ଧନୁମୁଆଁ ପାଇଁ।
ମୋଟାସୋଟା ସ୍ୱାସ୍ଥ,କୃଷ୍ଣବର୍ଣ୍ଣ ରଙ୍ଗ,ଗେଡା ଓ ଚନ୍ଦା ମଣିଷ ଭାସ୍କର ପାତ୍ର।ମୋପେଟ ପଛରେ ବାନ୍ଧିଥାଏ ଆଚାର ଡବା ଓ ସାମ୍ନାରେ ଗୁଡାଏ ଜରି ବ୍ୟାଗରେ ବଡ଼ି,ପାମ୍ପଡ଼ ଇତ୍ୟାଦି ଓହଳାଇ ଆସେ ଭାସ୍କର,ଦୁଃଖ ସୁଖ ହୁଏ।ମୁଆଁ କଥା ପଡିଲେ କୁହେ,
– ବୁଝିଲ ନା ଅପା, ଆମ ବରହମପୁର ମୁଆଁ ଯିଏ ଥରେ ଖାଇବ,ତା ଟେଷ୍ଟ ଆଉ ଭୁଲିପାରିବନି।ଯେତେ ଯୁଆଡ଼ ମୁଆଁ ଥାଉ,ସମସ୍ତେ ବରହମପୁର ତଳେ ଏକା।ଭାଗମାପ ଇନ୍ତି ଯେ……ସବୁ ପରା ଏବେ ବାହାର ରାଜ୍ୟ କୁ ଯାଉଛି ଓ ବିଦେଶକୁ ଏକ୍ସପୋର୍ଟ ହେଉଛି।ହାତରେ ଟଙ୍କା ଦୁଇ ପଇସା ହେଲେ ମୁଁ ବି ନିଜର ମୁଆଁ ବ୍ୟବସାୟ କରି ଏକ୍ସପୋର୍ଟ କରନ୍ତି।
ସବିତା ହସିଦେଇ କୁହନ୍ତି,
– ହଉ,ହଉ ,ସବୁ ତକ ଏକ୍ସପୋର୍ଟ କରିବନି,ଏ ଅପା ଘରେ ଆଗେ ଦୁଇଟା ରଖିଦେଵ।”
– ତମ ପାଇଁ ଧନୁମୁଆଁ ଆଗେ ଆଣି ଦେଇ ସାରିଲା ପରେ ,ମୁଁ ଅନ୍ୟମାନଙ୍କ ଘରେ ଦିଏ ଅପା।”
ସ୍ନେହରେ ଭାସ୍କର ,ଅପା ବୋଲି ସମ୍ବୋଧନ କରେ ସବିତାଙ୍କୁ।ତା’ର ଗୋଟିଏ ବୋଲି ବଡ଼ ଭଉଣୀ କାଳେ ଜଣ୍ଡିସ ରେ ମରିଯାଇଥିଲା।ସବିତା ଙ୍କ ଭଳି କାଳେ ତା ଗଠନ।ସବିତା ବି ସ୍ନେହରେ ଦୁଇ ପଦ କଥା ହୁଅନ୍ତି ଭାସ୍କର ସହ।ସବିତାଙ୍କ’ର ବି ନିଜର କେହି ଭାଇ ନଥିଲେ।ସମ୍ପର୍କ ଟା ଏମିତି, ଗଢି ହୋଇଯାଏ;କେତେବେଳେ ଆରମ୍ଭ ହୋଇଯାଏ ଜଣା ପଡେନା।ତାଙ୍କର ନିଜର ଯଦି ଭାଇଟିଏ ଥାଆନ୍ତା ତେବେ ପିଲେ ତାକୁ ମାମୁଁ ବୋଲି ଡାକୁଥାନ୍ତେ।ଏବେ
ପିଲା ଦୁହେଁ ଭାସ୍କରକୁ, ମାମୁଁ ବୋଲି ଡାକନ୍ତି।ଯେମିତି ହେଉ ପିଲାଙ୍କ ପାଇଁ ସବୁଥର ଚକୋଲେଟ ଆଣିଥାଏ ଭାସ୍କର।
ଅବିନାଶ ବାବୁ ମଜାରେ କୁହନ୍ତି,
-ଆଚାର,ପାମ୍ପଡ ମାଗଣାରେ ପାଇବ ବୋଲି, କୁମୁଟି ପୁଅକୁ ଭାଇ କରିଛ କି ?”
ଚିଡି ଯାଆନ୍ତି ସବିତା।ସ୍ନେହ,ମମତା କିଏ କଣ କିଛି ପାଇବା ଆଶାରେ,ସ୍ୱାର୍ଥ ପାଇଁ ବାଣ୍ଟେ ?
ଭାସ୍କର ପାଖରୁ ଯାହା ଜିନିଷ ରଖନ୍ତି ସବୁ ପାଇଁ ପଇସା ଦିଅନ୍ତି।ବରଂ ସୁବିଧା ଅସୁବିଧା ସମୟରେ ଭାସ୍କର ସବିତାଙ୍କ ଠାରୁ ଟଙ୍କା ଧାର ନିଏ ଓ ପରେ ସୁଝିଦିଏ, ନହେଲେ ଜିନିଷ ଦେଇଦିଏ।
ତେବେ ଧନୁମୁଆଁ ପାଇଁ ଟଙ୍କା ଯେତେ ଯାଚିଲେ ବି ନିଏନା।କୁହେ,
– ଧନୁସଂକ୍ରାନ୍ତି ରେ ମା ଲକ୍ଷ୍ମୀ ଧନୁମୁଆଁ ନେଇ ବାପ ଘରକୁ ଯାଆନ୍ତି।ଆପଣ ତ ବାପଘରକୁ ଯାଉ ନାହାଁନ୍ତି,ତେଣୁ ଏଇ ଗରିବ ଭାଇ ତରଫରୁ ମୋ ଲକ୍ଷ୍ମୀ ସ୍ୱରୂପିଣୀ ଭଉଣୀପାଇଁ ଛୋଟ ଉପହାର।’
ଅଜଣାତରେ ସବିତାଙ୍କ ଆଖି ଜକେଇ ଆସେ।
ପୁଷ ମାସ ଆସିଲେ ସବିତାଙ୍କ ର ମନେପଡେ ନିଜ ପିଲାବେଳର ଦୁଇଟା କଥା; ଧନୁସଂକ୍ରାନ୍ତିରେ ଧନୁମୁଆଁ ଓ ପୁଷ ପୁନେଇ ରେ ଗାଁରେ ହେଉଥିବା ଯାତ୍ରା।
ଧନୁସଂକ୍ରାନ୍ତି ଦିନ ସକାଳୁ ବୋଉ ଗାଧେଇ ପୂଜା ସାରି ଧନୁମୁଆଁ ଭୋଗ ଠାକୁରଙ୍କୁ ଲଗାଇ ,ବାହାରକୁ ଆସି କୁହେ
– ଆସରେ ପିଲାଏ,ଧନୁମୁଆଁ ଖାଇବ।”
ଦୌଡା ଦୌଡ଼ି ହୋଇ ତିନି ଭଉଣୀ ଘେରିଯାଆଆନ୍ତି ବୋଉକୁ,ଚିନି,ଗୁଡ଼ ସିରାରେ ଜନ୍ଦା ପିମ୍ପୁଡି ଲାଗିଲା ଭଳି।
ବୋଉ ଚିଡି ଯାଇ କୁହେ,
– ରୁହ,ଏମିତି ଅସ୍ତବ୍ୟସ୍ତ କରି ପକାନା।ଧନୁମୁଆଁ ପରା ଟାଣ,ତମେମାନେ ଭାଙ୍ଗି ପାରିବ ନାହିଁ।ଖଣ୍ଡ ଖଣ୍ଡ କରି ମୁଁ କାଟି, ସମସ୍ତଙ୍କୁ ବାଣ୍ଟୁଛି ରୁହ।”
ଚିନି ବା ଗୁଡ଼ ପାଗଵାଲା ଧନୁମୁଆଁ ଉପରେ ପଡିଥାଏ ନଡ଼ିଆ ପାତି ,ଗୁଜୁରାତି ଅଳେଇଚ ଗୁଣ୍ଡ।ଘିଅ ମୁଆଁ ଆହୁରି ସୁଆଦିଆ। ପାଟି ନାଳେଇ ଯାଏ।
ଜେଜେମା ପାଟିରେ ଦାନ୍ତ ନଥିଲା ବୋଲି ନାଳେଇ ନାଳେଇ ଖାଏ।ଧନୁମୁଆଁ ଟାଣ ସିନା,ହେଲେ ଚାକୁଳେଇ ଖାଇବାକୁ ସମୟ ଲାଗେ,ଆଉ ଢେର ମିଠାପଣ….ମୁଆଁ ଖାଉ ଖାଉ ଜେଜେମା କୁହେ,
-ବାହାହେଲା ପରେ ପୁଷୁ ମାସରେ ପୁଆଣି ହୋଇ ଆସିବୁଲୋ ଟୋକୀ, ମୋତେ ଓ ତୋ ବାପଘର ଦେଖିବାକୁ….
କେମିତି ବିତିଗଲା ସମୟ !ବାପଘରେ ଆଉ କିଏ ଅଛି କି ?ଜେଜେମା,ବାପା,ବୋଉ ସମସ୍ତେ ଏବେ ସ୍ଵର୍ଗରେ।ଓଃ,ଏଇ ଧନୁମୁଆଁ….ଏଇ କିଛି ବର୍ଷ ହେଲାଣି ଭାସ୍କର ଲଗାଇ ଦେଇଛି ସମ୍ପର୍କର ଦଉଡି ଟିକେ।ତିନିମାସ ତଳେ ଟଙ୍କା ଧାର ମାଗିବାକୁ ଆସି କହିଥିଲା,
– ଅପା, ଗାଁରେ ବାପାଙ୍କୁ ଜର ହୋଇଛି।କରୋନା ଟେଷ୍ଟ ରିପୋର୍ଟ ଆସିନି।ଡର ଲାଗୁଛି,ପାଖରେ କେହି ନାହାନ୍ତି।ମୋ ସ୍ତ୍ରୀ ଓ ସାନ ପୁଅ କଣ କିଛି ପାରିବେ ?ଟଙ୍କା ଦଶ ପନ୍ଦର ହଜାର ଧାର ଦେଇଥା।ମୋ ମୋପେଟ ତମ ଘରେ ଥାଉ।ଟଙ୍କା ଫେରାଇଲେ ନେବି।”
– ମୋପେଟ ବନ୍ଧା ପକାଇବୁ ଅପା ପାଖରେ ?ଏତେ ପର ଭାବୁଛୁ ତୋ ଅପା କୁ ?”
କାନ୍ଦୁଥିଲା ଭାସ୍କର।
ସ୍ୱାମୀ ଙ୍କୁ ରାଜି କରାଇ ଟଙ୍କା ଦେଇଥିଲେ ଭାସ୍କର କୁ।ସେବେଠୁ ଫେରିନି ଭାସ୍କର।ପ୍ରଥମେ ତା ବାପା,ପରେ ତାକୁ କରୋନା ହୋଇଥଲା।ଦୁଇମାସ ତଳେ ଶେଷଥର ଫୋନ ଆସିଥିଲା,ଭାସ୍କର ଭେଣ୍ଟିଲେଟରରେ ଅଛି ବୋଲି।ଆଉ ଫୋନ କରିବାକୁ ସାହସ ପାଉ ନାହାଁନ୍ତି ସବିତା।କରୋନାରେ ଅନେକ ନିଜ ଲୋକ ମଲେଣି।ଭାସ୍କର ବଞ୍ଚିଥାଉ।
-ଆଜି ଧନୁମୁଆଁ ଭୋଗ ଲଗାଇବନି କି ? ଆଛା,ଭାସ୍କର ର କିଛି ଖବର….
ସ୍ବାମୀଙ୍କ କଥା ଶୁଣି ଭାବନା ରାଜ୍ୟରୁ ଫେରିଆସିଲେ ସବିତା।ଭାସ୍କର ଏବେ କେମିତି ଅଛି ?ବଞ୍ଚିଛି ନା….
ଏବର୍ଷ ସେ ଜିଦିରେ ଠାକୁରଙ୍କ ପାଖରେ ଧନୁମୁଆଁ ଭୋଗ ଲଗାଇ ନାହାନ୍ତି,ଅଭିମାନରେ।ପଡିଶା ଘର
ଦିଲୁ ବୋଉ କହୁଥିଲେ,
– ତମ ଟଙ୍କା ଗଲା।ସେ ଭାସ୍କର ବୋଧେ କରୋନାରେ ଗଲା।”
ଛାତିଟା ଥମ କରି ବସିଗଲା ଭଳି ଲାଗିଥିଲା ସବିତାଙ୍କୁ।ଟଙ୍କା କଣ ସବୁ କିଛି !!!!ମାନବିକତା ବୋଲି ଜିନିଷ କିଛି ନାହିଁ !
ବାରମ୍ବାର ମନ କୁ ପ୍ରଶ୍ନ ଆସୁଥିଲା ଭାସ୍କର ତାଙ୍କର ନିଜ ଭାଇ ନହେଲେ କଣ ସେ ପର ହୋଇଗଲା ?କିଏ ତ ତାଙ୍କୁ ସ୍ନେହରେ ଅପା ବୋଲି ଡାକି ଧନୁମୁଆଁ ଦେଉଥିଲା,ଆଗ୍ରହରେ ନିଜ ହାତରେ ରାକ୍ଷୀ ବାନ୍ଧି ଖୁସି ହେଉଥିଲା ….ଭାସ୍କର ବଞ୍ଚିଥାଉ।
ଠାକୁର ଘରେ ସକାଳୁ ଓପାସରେ ବସିଛନ୍ତି ସବିତା।କାହାପାଇଁ!!!!
-ଅପା ….
ଚମକି ପଡିଲେ ସବିତା।ଭାସ୍କର କି ?ମାସେ ହେଲାଣି ଏମିତି ଡାକ ତାଙ୍କ କାନକୁ ଶୁଭୁଛି, କବାଟ ପାଖରୁ ଫେରିକି ଯାଉଛନ୍ତି।
ପୁଣି ସେଇ ସ୍ନେହ ବୋଳା ଡାକ…ଅପା
– ଆରେ ,ଶୁଣୁଛ,ଭାସ୍କର ଆସିଛି….ଅବିନାଶଙ୍କ ସ୍ୱର।
ଧଡପଡ ହୋଇ ଉଠି ଆସିଲେ ସବିତା।ସାମ୍ନାରେ ଟିକେ ଦୁର୍ବଳ ଦେଖା ଯାଉଥିବା ଭାସ୍କର।
-ଫୋନ ନାହିଁ,ଖବର ନାହିଁ।କି ମଣିଷ ଟେ ତୁ…
ସ୍ମିତ ହସି ,ଧୀର ସ୍ୱରରେ ଭାସ୍କର କହିଲା,
– ଭାବିଲି ,ଏକାଥରେ ଧନୁମୁଆଁ ନେଇ ମୋ ଅପାଙ୍କୁ ସରପ୍ରାଇଜ କରିଦେବି।”ଭାସ୍କର ହାତରେ ଧନୁମୁଆଁ।
– ଏମିତି କିଏ ସରପ୍ରାଇଜ ଦିଏ ?”
ସବିତା କାନ୍ଦୁଥିଲେ;ତାଙ୍କ ହାତରେ ଥିଲା ଧନୁମୁଆଁ।ସ୍ନେହ ଶ୍ରଦ୍ଧା’ର ଅନାବିଳ ସମ୍ପର୍କ ଟା ବୋଧେ ଏମିତି,ଠିକ ଧନୁମୁଆଁ ଭଳି ମିଠା।
(©ଅରବିନ୍ଦଦାସ)