ମା’ଙ୍କୁ ସମ୍ମାନ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ନୀରବ
କାହିଁକି?: ଲେଖାଶ୍ରୀ ସାମନ୍ତସିଂହାର
ମହିଳାଙ୍କ ପ୍ରତି କହିଥିବା ଅପଶଦ୍ଦ ଘଟଣାରେ ବରୀ ବିଧାୟିକା ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ
ମୁଖ୍ୟମନ୍ତ୍ରୀ ସଂପୃକ୍ତା ବିଧାୟିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
ବିଜେଡି ବିଧାୟିକା ଖୁଲମଖୁଲା ମହିଳାଙ୍କୁ ବେଶ୍ୟା କହି ପୂରା ମହିଳା ସମାଜକୁ ଅସମ୍ମାନିତ କରିଛନ୍ତି
ମହିଳା ବିଧାୟିକା ହୋଇ ଅଶୋଭନୀୟ ଭାଷା କହିବା ସାରା ଓଡିଶା ପାଇଁ ଲଜ୍ଜା
କେବଳ ବଡ ବଡ ବିଜ୍ଞାପନରେ ମା’ କୁ ସମ୍ମାନର କଥା କୁହେ ବିଜେଡି
ବିଜେଡି ନେତା ଅବା କର୍ମୀମାନେ ପ୍ରତ୍ୟେକ ସ୍ତରରେ ମା’ ଭଉଣୀମାନଙ୍କୁ ଅସମ୍ମାନିତ କରିଥାନ୍ତି
ଦୀର୍ଘ ୨୧ ବର୍ଷ ଧରି ମହିଳାଙ୍କୁ ଅସମ୍ମାନିତ କରିଥିବା ଦଳ ରାଜ୍ୟରେ ଶାସନ କରୁଛି
ବିଜେଡି ଦଳର ଜନପ୍ରତିନିଧୀମାନେ ମହିଳାଙ୍କ ଇଜ୍ଜତକୁ ଭୂଲୁଣ୍ଠିତ କରୁଛନ୍ତି
ବିଜେଡି ନେତାମାନେ ଅନୈତିକ ଉପାୟରେ ଭୋଟ ହାତେଇବା ପାଇଁ ମତଦାତାଙ୍କୁ ଆତଙ୍କିତ କରିଥାନ୍ତି
କୋଭିଡ ୧୯ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ମିଶ୍ରଣ ପର୍ବ କରାଯାଇଛି
ଭୁବନେଶ୍ୱର,ତା.୨୫/୦୮: ବିଜେଡିର ମିଶ୍ରଣ ପର୍ବରେ ବରୀ ବିଧାୟିକା ସୁନନ୍ଦା ଦାସ ସର୍ବସମ୍ମୁଖରେ ବିଜେଡି ଦଳର ଅନ୍ୟ ଜଣେ
ମହିଳାଙ୍କୁ ଆକ୍ଷେପ କରି ବେଶ୍ୟା ବୋଲି ସମ୍ଭୋଧିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଜଣେ ଜନପ୍ରତିନିଧୀ ଏବଂ ମହିଳା
ହୋଇ ଏପରି ଅଶୋଭନୀୟ ଟିପ୍ପଣୀ ରଖି ବିଜେଡି ଦଳର ଚାଲ, ଚରିତ୍ର ଓ ଚେହେରାକୁ ସର୍ବସମ୍ମୁଖକୁ ଆଣିଛନ୍ତି । ଯେଉଁ ଦଳ ମହିଳାକୁ ସମ୍ମାନ
ଏବଂ ମହିଳା ସଶକ୍ତିକରଣର କଥା କହୁଛି ସେହି ଦଳର ବିଧାୟିକା ଆଜି ଖୁଲମଖୁଲା ମହିଳାଙ୍କୁ ବେଶ୍ୟା କହି ପୂରା ମହିଳା ସମାଜକୁ ଅସମ୍ମାନିତ
କରିଛନ୍ତି । ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଶାସକ ଦଳର ନେତାମାନେ ଆଜି ମୁକ ବଧିର ଏବଂ ଅନ୍ଧ ହୋଇ ବସିଛନ୍ତି ।
ଜଣେ ମହିଳା ବିଧାୟିକା ହୋଇ ଅଶୋଭନୀୟ ଭାଷା କହିବା ସାରା ଓଡିଶା ପାଇଁ ଲଜ୍ଜା ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ
ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ଦଳ କେବଳ ବଡ ବଡ ବିଜ୍ଞାପନରେ ମା’ କୁ ସମ୍ମାନର କଥା କୁହେ କିନ୍ତୁ ବାସ୍ତବରେ ସେ
ଦଳର ନେତା ଅବା କର୍ମୀମାନେ ପ୍ରତ୍ୟେକ ସ୍ତରରେ ମା’ ଭଉଣୀମାନଙ୍କୁ ଅସମ୍ମାନିତ କରିଥାନ୍ତି । ମହିଳାଙ୍କ ଇଜ୍ଜତ ଲୁଟିବା, ଯୋଜନା କରାଇବା
ନାଁରେ ମହିଳାଙ୍କ ସହ ଦୁଷ୍କର୍ମ କରିବା ଏବଂ ରାଜନୀତିର ପଶାପାଲିରେ ନିଜକୁ ସ୍ୱଚ୍ଛ ଦର୍ଶାଇ ଅନ୍ୟ ଜଣେ ଦଳୀୟ ମହିଳାଙ୍କୁ ଜଣକୁ ବେଶ୍ୟା
ଭାବେ ଆକ୍ଷେପ କରିବା ଆଦି ଏହି ଦଳର ନିତିଦିନିଆ ଘଟଣା । ଯଦି ବାସ୍ତବରେ ବିଜେଡି ଦଳ ମା’ଙ୍କୁ ସମ୍ମାନ ଦେଉଛି ତେବେ ଏହି ଘଟଣାରେ
ଶାସକ ଦଳର ବଡପଣ୍ଡାମାନେ ନୀରବ କାହିଁକି ? ଖୋଦ୍ ମୁଖ୍ୟମନ୍ତ୍ରୀ ବି କାହିଁକି ପଦଟିଏ କହୁ ନାହାଁନ୍ତି ? ଏଥିରୁ ବିଜେଡି ଦଳର ଅସଲ ପ୍ରବୃତି
ସ୍ପଷ୍ଟ ବାରି ହୋଇ ପଡୁଛି । ଦୀର୍ଘ ୨୧ ବର୍ଷ ଧରି ମହିଳାଙ୍କୁ ଅସମ୍ମାନିତ କରିଥିବା ଦଳ ରାଜ୍ୟରେ ଶାସନ କରୁଛି ଏବଂ ବିଜେଡି ଦଳର
ଜନପ୍ରତିନିଧୀମାନେ ମହିଳାଙ୍କ ଇଜ୍ଜତକୁ ଭୂଲୁଣ୍ଠିତ କରୁଛନ୍ତି ।
ସେହି ମିଶ୍ରଣ ପର୍ବରେ ବିଧାୟିକା ଜଣଙ୍କ ପୂର୍ବତନ ବରୀ ବିଜେଡି ବିଧାୟକ କିପରି ଅନୈତିକ ଏବଂ ଭଷ୍ଟ୍ରାଚାର କରି ନିର୍ବାଚନ
ଜିତିଥିଲେ, ସେକଥାକୁ ବି କହୁଛନ୍ତି । ବିଜେଡି ନେତାମାନେ ଅନୈତିକ ଉପାୟରେ ଭୋଟ ହାତେଇବା ପାଇଁ ମତଦାତାଙ୍କୁ ଆତଙ୍କିତ କରିଥାନ୍ତି ।
ଅନ୍ୟପଟେ କୋଭିଡ ୧୯ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ମିଶ୍ରଣ ପର୍ବ କରାଯାଇଛି । ବିନା ମାସ୍କ ଓ ସାମାଜିକ ଦୂରତାକୁ ଖାତିର ନକରି
ଏହି ମିଶ୍ରଣ ପର୍ବ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଂଘନ ହୋଇଥିବାରୁ ରାଜ୍ୟସରକାର ବିଧାୟିକା ଏବଂ ସେଠାରେ ଉପସ୍ଥିତ ଥିବା ବିଜେଡି
ଦଳର ତୁଙ୍ଗ ନେତାଙ୍କ ବିରୁଦ୍ଧରେ ଦୃଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବରୀ ବିଧାୟିକା ମହିଳାଙ୍କ ପ୍ରତି କହିଥିବା ଅପଶଦ୍ଦ ଘଟଣାରେ
ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ବିଜେଡି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ସଂପୃକ୍ତା ବିଧାୟିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ
ଡ.ସାମନ୍ତସିଂହାର ଦାବୀ କରିଛନ୍ତି ।