ପୁଣି ମାତିଲେଣି ରୋଡ଼ ରୋମିଓ !
: କିଛି ଦିନର ନୀରବତା ପରେ ଇସ୍ପାତ ସହର ରାଉରକେଲାରେ ରୋଡ଼ ରୋମିଓମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଏଭଳି ରୋମିଓ ମାନଙ୍କ ଉତ୍ପାତରେ ନୟାନ୍ତ ହୋଇ ପଡ଼ିଛନ୍ତି ସହରର ସ୍କୁଲ, କଲେଜ ପଢୁଆ ବିଦ୍ୟାର୍ଥୀ, ରାସ୍ତାରେ ଯାତାୟତ ଯୁବତୀ ଓ ମହିଳା । ରାତି ପାହି ସକାଳ ହେବା ଠାରୁ ସଂଜ ନଇଁବା ପର୍ଯ୍ୟନ୍ତ ସହରର ବିିଭିନ୍ନ ପ୍ରମୁଖ ଛକ ଯେପରି ବିଶ୍ରା ଛକ, ଟ୍ରାଫିକ ଛକ, ଆମ୍ବାଗାନା ଛକ ଓ ପ୍ରମୁଖ ବଜାର ଅଂଚଳ ଗୁଡ଼ିକରେ ୨୦ରୁ ୨୫ ବର୍ଷ ବୟସର ଉଦଭ୍ରାନ୍ତ ଯୁବକ ମାନେ ବାଡ଼ବାତା ନମାନି ନାମିଦାମୀ ବାଇକରେ ସହର ସାରା ଚକ୍କର କାଟୁଛନ୍ତି । ଏମାନେ ବିପଦଜ୍ଜନକ ଭାବେ ବାଇକ ଚାଳନା କରିବା ସହ ବାଇକ ରାସ୍ତା ମଝିରେ ରଖି ଷ୍ଟଂଟ ପ୍ରଦର୍ଶନ କରୁଛନ୍ତି । ଯାହାକି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ଅନ୍ୟ ବାଇକ ଆରୋହୀଙ୍କ ପାଇଁ କାଳ ସାଜିଛି । ରୋମିଓ ମାନେ ରାଉରକେଲାର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ନିଜ ଆଧିପତ୍ୟ ବିସ୍ତାର କରିବା ସହ କୋମଳମତି ଛାତ୍ରୀ ମାନଙ୍କୁ ଅଶ୍ଳୀଳ କମେଂଟ ମାରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସମୟ ସମୟରେ କିଛି କଲେଜ ପରିସରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଅପରପକ୍ଷରେ ପୁଲିସ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ରୋମିଓ ମାନେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି! ରୋଡ଼ ରୋମିଓ ମାନଙ୍କ ଉପରେ ଲଗାମ କଷିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।