ମୟୂରଭଞ୍ଜ(ଘାସିରାମ ବେହେରା)-କରୋନା ଯୋଦ୍ଧା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଅସାମାଜିକ କାର୍ଯ୍ୟକଳାପ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ପାରିବାରିକ ହିଂସା | ପୁଣି କେତେବେଳେ ବ୍ୟଭିଚାର, ଡାହାଣୀ ଭଳି ଅନ୍ଧବିଶ୍ବାସ, ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ଜୁଆଖେଳ,ଚୋରାମଦ ଏବଂ ନିଶା କାରବାର ,ନାରୀ ନିର୍ଯାତନା, ଆଉ କେତେବେଳେ ନାବାଳିକା ଅସଦାଚରଣ ଭଳି ଅମାନବିକ ଘଟଣା। ତେବେ ଏଭଳି ନାରକୀୟ ଘଟଣା ନିୟନ୍ତ୍ରଣ କରିବାକୁ ପାରିତ ହେଉଥିବା ଆଇନ୍ ଯେତେ ଶସକ୍ତ ହେଲେ ମଧ୍ୟ କେଉଁଠି ନା କେଉଁଠି କେଁ ରହି ଯାଉଛି। ଆଉ ଏହାର ସୁଯୋଗରେ ଆଇନକୁ ଭୟ ନ କରି ନାରକୀୟ ତଥା ଅମାନବୀୟ ଘଟଣା ଘଟେଇ ଦେଉଛନ୍ତି !
ଏହିଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଡେମ୍ କାଦୁଆଣୀ ଗ୍ରାମରେ ଦେଖିବାକୁ ମିଳିଛି। ରବିବାର ରାତିରେ ଜଣେ ମାତାଲ୍ ସ୍ବାମୀ ବର୍ବରତାର ସବୁ ସୀମା ଟପିଯାଇ ନୃଶଂସ ଭାବେ ହତ୍ୟା କରିଥିଲା ନିଜ ସ୍ତ୍ରୀକୁ। ଭୁଲି ଯାଇଥିଲା ସମ୍ପର୍କ ଅଗ୍ନିକୁ ସାକ୍ଷୀ ରଖି ଦେଇଥିବା ବଚନ। ସାତ ଜନ୍ମର ସାଥୀ ତା’ର ସ୍ତ୍ରୀକୁ ବିଭତ୍ସ ଭାବରେ କରିଥିଲା ହତ୍ୟା।
ଡେମକାଦୁଆଣୀ ଗ୍ରାମର ଗଣେଶ ସିଂ ତା’ର ସ୍ତ୍ରୀ ସୁଲୋଚନା ସିଂ ସହିତ ଦିର୍ଘଦିନରୁ ଲାଗି ରହିଛି ପାରିବାରିକ ଗଣ୍ଡଗୋଳ। ତେବେ ରବିବାର ରାତିରେ ଗଣେଶ ମାତାଲ୍ ଅବସ୍ଥାରେ ଫେରି ତା’ର ସ୍ତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ସୁଲୋଚନାର ଶଶୁର କୁହନ୍ତି । ରବିବାର ଦିନ କ’ଣ ହେଲା କେଜାଣି ମାତାଲ୍ ଗଣେଶ ନିଶାସକ୍ତ ଅବସ୍ଥାରେ ତା’ର ସ୍ତ୍ରୀକୁ ନଣ୍ଡା କରି ମୁଣ୍ଡ ଓ କାନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ସେତିକିରେ ପିଶାଚ ଗଣେଶର ମନ ବୁଝିଲା ନାହିଁ ସ୍ତ୍ରୀର ଯୌନାଙ୍ଗକୁ ଧାରୁଆଅସ୍ତ୍ରରେ ଆଘାତ କରି କ୍ଷତବିକ୍ଷତ କରି ହତ୍ୟା କରିଥିଲା ।
କୌଣସିସୂତ୍ରରୁ ଖବରପାଇ ବିଶୋଇ ଥାନା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଏକ ମାମଲା ନଂ ୪୧/୨୦ ରୁଜୁ କରି ଜହ୍ଲାଦ ଗଣେଶକୁ ଅଟକ ରଖି ଛାନଭୀନ ଆରମ୍ଭ କରିଛି ।ପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଦେଇଛି। ଆଜି ବ୍ୟବଚ୍ଛେଦ କରାଇ ପୋଲିସ ସୁଲୋଚନାର ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି । ଆଜି ରାଇରଙ୍ଗପୁର ଏସଡିପିଓ ଏବଂ ବିଶୋଇ ଥାନା ଅଧିକାରୀ ଗାଁରେ ପହଞ୍ଚି ଘଟଣାର ତଦନ୍ତଜାରି ରଖିଛନ୍ତି । ବିଶୋଇ ଥାନା ଅଞ୍ଚଳରେ ଲାଗି ଲାଗି ଘଟିଯାଇଥିବା ଦୁଇଦୁଇଟି ଜଘନ୍ଯ ହତ୍ୟାକାଣ୍ଡ ଏବେ ପୋଲିସର ନିଦ ହଜାଇବା ସହ ଅଂଚଳବାସିଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟି କରିଛି । ଅନ୍ୟପଟେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଦାବି କରିଛନ୍ତି ।