27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୯୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଲେ ବୋହୂ ଓ ନାତି 

୯୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଲେ ବୋହୂ ଓ ନାତି 

ଫୁଲବାଣୀ : ଏକମାତ୍ର ପୁଅର ମୃତ୍ୟୁ ପରେ ୯୦  ବର୍ଷର ଶାଶୂକୁ ମାଡ଼ ମାରି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡ଼ିଙ୍ଗିରାଗାଁ ନିକଟ ଏକ ଜଙ୍ଗଲରେ ରାତିଅଧରେ ଏକୁଟିଆ ଛାଡି ଚାଲିଯାଇଛନ୍ତି ଚାକିରିଆ ବୋହୂ ଓ ସାବତ ପୁଅ । ଗ୍ରାମବାସୀ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ଏକଜୁଟ୍ ହୋଇ ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଛନ୍ତି । ପୁଲିସ୍ ମଧ୍ୟ ଉକ୍ତ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ । ବୃଦ୍ଧାଙ୍କ ଅଭିଯୋଗ ପ୍ରକାରେ, ପୁଅ ପ୍ରେମାନନ୍ଦ ବେହେରା ପୂର୍ବରୁ ଫୁଲବାଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବରିଷ୍ଠ କିରାଣି ଭାବେ ଚାକିରି କରୁଥିଲେ । କନ୍ଧମାଳ ଜିଲ୍ଲା ରାଇକିଆ ମହିଳା ଉଚ୍ଚ ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟିତ୍ରୀ ଶଶିରେଖା ମହାରଣାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଗତ ୯ମାସ ତଳେ ପ୍ରେମାନନ୍ଦଙ୍କ  ଅଚାନକ ଦେହାନ୍ତ ହୋଇଗଲା । ବର୍ତ୍ତମାନ ତାଙ୍କ ବୋହୂଙ୍କ ସହିତ ସେ ରାଇକିଆରେ ରହୁଥିଲେ । ତାଙ୍କ ସହିତ ପ୍ରଥମ ସ୍ତ୍ରୀଙ୍କ ସାନ ପୁଅ ରଜନିକାନ୍ତ ବେହେରା ମଧ୍ୟ ରହୁଛନ୍ତି । ତେବେ ଗତ ୩ ତାରିଖରେ ତାଙ୍କୁ ତାଙ୍କ ବୋହୂ ଶଶିରେଖା ଏବଂ ସାନ ନାତି ରଜନୀକାନ୍ତ ବେହେରା ପାଟିତୁଣ୍ଡ କରିବା ସହିତ ମାଡ଼ ମାରିଥିଲେ । ଜୋରଜବରସ୍ତି ଲାତ ଗୋଇଠା ମାରିବା ସହିତ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ । ବଳପୂର୍ବକ ଗୋଟିଏ ବୋଲେରୋରେ ବସାଇ ତାଙ୍କୁ ଆଣି ଡିଡ୍ରାଗାଁ ନିକଟରେ ଥିବା ଏକ ଜଙ୍ଗଲରେ ରାତିଅଧରେ ଛାଡି ଚାଲିଗଲେ । ସକାଳ ହେବା ପରେ ଗ୍ରାମର ମୁରଲି ଦିଗାଲ, ଜସନ ଦିଗାଲ, ସଙ୍ଗୀତା ଗଣ୍ଡା, ଗଗନ ଦିଗାଲ, ସରସ୍ୱତୀ ଦିଗାଲ, ବିଭୀଷଣ ଦିଗାଲ, ବିଦ୍ୟାଧର ଦିଗାଲ, ଟୁନି ଦିଗାଲ, ବନ୍ଦର ଦିଗାଲ, ରାଧା ଦିଗାଲ, ମୁକୁନ୍ଦ ନାୟକ, ସନ୍ତୋଷ ଦିଗାଲ ଏବଂ ଯୋଗେଶ ଦିଗାଲ ସମେତ ଅନେକ ଗ୍ରାମବାସୀ  ବୃଦ୍ଧା ପ୍ରିୟବତୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କର ହେପାଜତରେ ରଖି ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଛନ୍ତି । ଫିରିଙ୍ଗିଆ ପୋଲିସ ବୋହୂ ଶଶିରେଖା ଏବଂ ତାଙ୍କ ସାବତ ପୁଅ ରଜନିକାନ୍ତଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି । ଅନ୍ୟପଟେ ପୁଅ ମରିଗଲା ପରେ ବୋହୂ ନିଜ ବୃଦ୍ଧା ଶାଶୂକୁ ଏଭଳି ଅବସ୍ଥାରେ ଜଙ୍ଗଲରେ ଛାଡି ଚାଲିଯିବା ଘଟଣାକୁ ନିନ୍ଦା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking