କୋଲକାତା: କିଛି ଦିନର ବ୍ୟବଧାନ ପରେ ପୁଣି ହାୱଡାରୁ ବିଷକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ବିଷାକ୍ତ ମଦ୍ୟପାନ କରି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । କିଛି ଦିନ ପୂର୍ବେ ବର୍ଦ୍ଧମାନରୁ ମଦମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି ହାୱାଡା ଘୁସୁରୀର ମାଲିପଞ୍ଚଗା ପୋଲିସ ଷ୍ଟେସନ ଅଞ୍ଚଳର ଗଜାନନ୍ଦ ବସ୍ତିରୁ । ଏନେଇ ହାୱଡା ଜିଲ୍ଲା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଗଜାନନ୍ଦ ବସ୍ତିରେ ଅନେକ ଲୋକ ବିଷାକ୍ତ ମଦ ପିଇ ଅସୁସ୍ଥ ହେବା ସହ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପୋଲିସ ଓ ପ୍ରଶାସନର ଅଜ୍ଞାତରେ କିଛି ମୃତଦେହକୁ ପୋଡି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରତାପ କର୍ମାକର ନାମକ ଜଣେ ବ୍ୟକ୍ତି ମାଲି ପଞ୍ଚାଘର ପୋଲିସ ଷ୍ଟେସନ ପଛରେ ଏକ ବେଆଇନ ମଦ କାରବାର ଚଳାଇଥିଲେ । ସ୍ଥାନୀୟ କାରଖାନା ଗୁଡ଼ିକର କର୍ମଚାରୀମାନେ ପ୍ରତିଦିନ ସେଠାକୁ ଯାଆନ୍ତି ବୋଲି ସ୍ଥାନିୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସମସ୍ତେ ମଦ୍ୟପାନ କରିଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ କେତେକ ପରିବାର ପୋଲିସକୁ ଏନେଇ ଖବର ନଦେଇ ମୃତଦେହ ସଂସ୍କାର କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ହାୱଡା ପୋଲିସ କମିଶନର ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ କୋଠର ଦଣ୍ଡ ଦିଆଯିବା ନେଇ କହିଛି ହାୱଡା ପୋଲିସ ।