34.1 C
Bhubaneswar
Friday, March 29, 2024
Homeଓଡିଶାମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ

ଭୁବନେଶ୍ୱ: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ ବୋଲି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଏକସଙ୍ଗେ ଭୁବନେଶ୍ୱରର ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିଲା । ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ମୋଟ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବରେ ନିଯୁକ୍ତ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଏହାର ଗ୍ରାମାଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ନିଜର ଆୟ ବୃଦ୍ଧି କରିପାରୁଛନ୍ତି । ରାଜ୍ୟ ସରକାର ଏହି କୃଷକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ରୋଜଗାର ବଢାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅଭିବୃଦ୍ଧିର ଏକ ଇଞ୍ଜିନ ଭାବରେ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳରେ ଲୋକଙ୍କ ପ୍ରୋଟିନ କ୍ୟାଲୋରୀ ଆବଶ୍ୟକତା ପୂରଣ କରିବା, ପୁଷ୍ଟିସାଧନ ଓ ସର୍ବୋପରି ଖାଦ୍ୟ ସୁରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରର ସ୍ୱତନ୍ତ୍ର ଭୂମିକା ରହିଛି । ତେଣୁ ଏହି ବିଭାଗର ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଅନୁଭବ କରିବା ଉଚିତ ବୋଲି ସେ ମତ ଦେଇଥିଲେ ।

୫-ଟି ଉପକ୍ରମ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା, ଟିମ୍ ସ୍ପିରିଟ୍‌ରେ କାମ କରିବା ଓ ବୈଷୟିକ ଜ୍ଞାନର ପ୍ରୟୋଗ ଦ୍ୱାରା ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନକୁ ସୁନିଶ୍ଚିତ କରିହେବ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ରାସ୍ତା ତିଆରି ହୋଇପାରିବ । ନବନିଯୁକ୍ତ କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖିବା ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସେ ଆଶା ପ୍ରକଟ କରିଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଯୋଗୁ ଆଜି ରାଜ୍ୟରେ ପ୍ରାଣୀଜ ଉତ୍ପାଦନ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍‌?ଧ ଉତ୍ପାଦନ ୩ ଗୁଣ, ମାଂସ ଉତ୍ପାଦନ ୬ ଗୁଣ, ଅଣ୍ଡା ୩ ଗୁଣ ଓ ମାଛ ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ଏହି ନୂତନ ନିଯୁକ୍ତି ରାଜ୍ୟରେ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଚାଷୀଙ୍କ ଜୀବନରେ ଖୁସି ଏବଂ ପରିବର୍ତ୍ତନ ଆଣିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟରେ ନିଯୁକ୍ତି କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ରାଜ୍ୟରେ ବିଭିନ୍ନ କମିଶନ ଓ ବିଭାଗ ଦ୍ୱାରା ପ୍ରତି ମାସରେ ହଜାର ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସେ କହିଥିଲେ । ଆନୁସାଙ୍ଗିକ କ୍ଷେତ୍ରରେ ବିକାଶ ଯୋଗୁ ଗ୍ରାମାଞ୍ଚଳରେ ଅଧିକ ଆର୍ôଥକ ଅଭିବୃଦ୍ଧି ଘଟୁଛି ବୋଲି ସେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ନବନିଯୁକ୍ତ କର୍ମଚାରୀ ଓ ଅଧିକାରୀ – ସହକାରୀ ପ୍ରାଣୀ ଚିକିତ୍ସକ ଡଃ ରିଷି ନନ୍ଦ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଶୁଭଶ୍ରୀ ସୌଭାଗ୍ୟଲକ୍ଷ୍ମୀ ବାରିକ ଓ ପ୍ରାଣୀଧନ ନିରୀକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଯୁବସମାଜକୁ ଭରସା ଦେଇଛି ବୋଲି ପ୍ରକାଶ କରିଥିଲେ । ରାଜ୍ୟର ରୂପାନ୍ତରର ଯୁଗକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସେମାନେ ସ୍ୱଚ୍ଛତାର ସହ ଉତ୍ସର୍ଗୀକୃତ ଭାବରେ କାମ କରିବେ ବୋଲି କହିଥିଲେ । ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମତ ବିନିମୟ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରାମର୍ଶ ଦେଇ କହିଲେ ଯେ ସେମାନେ ଯେଭଳି ଏକ ସ୍ୱଚ୍ଛ ପ୍ରକ୍ରିୟାରେ ନିଯୁକ୍ତି ପାଇ ନିଜର ଦକ୍ଷତାର ପରିଚୟ ଦେଇପାରିଛନ୍ତି, ସେହିଭଳି ଚାକିରୀ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା ବଜାୟ ରଖି ରାଜ୍ୟବାସୀଙ୍କ ସେବା କରିବା ଜରୁରୀ ।

ରାଜ୍ୟରେ ପ୍ରାଣୀଜ ସଂପଦ ବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି ଏବଂ ଚାଷୀମାନଙ୍କ ରୋଜଗାର ଦୁଇ ଗୁଣ ବୃଦ୍ଧି ପାଇଁ ପ୍ରାଣୀସଂପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପ୍ରାଣୀ ଚିକିତ୍ସକ ପଦବୀକୁ ଗ୍ରୁପ-ବି ରୁ ଗ୍ରୁପ-ଏ କରିଛନ୍ତି । ଏକ୍ଷେତ୍ର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଚାଷୀମାନଙ୍କ ରୋଜଗାର ୩ ଗୁଣ କରିବା ପାଇଁ ବିଭାଗର ସମସ୍ତ କର୍ମଚାରୀ ୫-ଟି ଉପକ୍ରମ ଅନୁସରଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା ଉପସ୍ଥିତ ଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଏସ.କେ ବଶିଷ୍ଟ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ଗ୍ରାମୀଣ ପରିବାରକୁ ଜୀବିକା, ରୋଜଗାର, ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ଏବଂ ଖାଦ୍ୟ ନିରାପତ୍ତା ଯୋଗାଉଥିବାରୁ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ଏବଂ ମତ୍ସ୍ୟ ବିଶେଷଜ୍ଞଙ୍କ ଭୂମିକା ଅପରିହାର୍ଯ୍ୟ ହୋଇପଡିଛି ।

ପ୍ରାଣୀ ସ୍ୱାସ୍ଥ୍ୟସେବା ପରିଚାଳନା, ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବିକା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁରକ୍ଷିତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କନିଷ୍ଠ ଯନ୍ତ୍ରୀ ମାନେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଭିତ୍ତିଭୂମି ନିର୍ମାଣରେ ସହଯୋଗ କରନ୍ତି । ପ୍ରାଣୀଧନ ନିରୀକ୍ଷକ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ତୃଣମୂଳ ସ୍ତରର ପ୍ରମୁଖ କର୍ମଚାରୀ ଯେଉଁମାନେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି । ସରକାରଙ୍କ ବିଭିନ୍ନ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେମାନେ କାର୍ଯ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking