31.1 C
Bhubaneswar
Friday, March 29, 2024
Homeଓଡିଶାଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ – ଶିକ୍ଷକମାନଙ୍କୁ...

ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ – ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ

ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି
ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରେ
ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ – ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦ୍ୱୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ । ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ । ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ୱ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ । ସରକାରଙ୍କ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ । ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର ବୋଲି ସେ କହିଥିଲେ । ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି ।

ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ । ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍‌?ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ । ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି । ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ୱ ଆପଣମାନଙ୍କର ।’ ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି ସେ କହିଥିଲେ ।’ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଏବଂ ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ରୂପାନ୍ତର ପାଇଁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ଏ ଗୁରୁଦାୟିତ୍ୱକୁ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁଲାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ୩ ଜଣ ଶିକ୍ଷକ –ପବିତ୍ର କର, ପ୍ରମିତା ପଟ୍ଟନାୟକ ଓ ଜୟଶ୍ରୀ ପାଢୀ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାରା ଦୁନିଆକୁ ଏହି ବାର୍ତ୍ତା ଦେଉଛି ଯେ ଓଡିଶାରେ ଶିକ୍ଷକ ମାନଙ୍କୁ କିଭଳି ଭାବରେ ସ୍ୱାଗତ କରାଯାଏ ଓ ସମ୍ମାନ ଦିଆଯାଏ । ନିଯୁକ୍ତି ପ୍ରକ୍ରିୟା ଉପରେ ଆଲୋକପାତ କରି ସେମାନେ କହିଲେ ଯେ ଆମେ ସମସ୍ତେ ଖୁବ କମ୍‌? ସମୟରେ ଏକ ସ୍ୱଚ୍ଛ ପ୍ରକ୍ରିୟା ମଧ୍ୟରେ ନିଯୁକ୍ତି ପାଇଛୁ ଏବଂ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ସାମଗ୍ରୀକ ବିକାଶ ପାଇଁ କାମ କରିବୁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି କହିଥିଲେ । ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking