29.1 C
Bhubaneswar
Wednesday, April 24, 2024
Homeଓଡିଶାପୌର ନିର୍ବାଚନାରେ ୫୦% ସଂରକ୍ଷଣ ନିୟମ ପାଳନ ହେବ

ପୌର ନିର୍ବାଚନାରେ ୫୦% ସଂରକ୍ଷଣ ନିୟମ ପାଳନ ହେବ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି ପୌର ନିର୍ବାଚନ । ଓଡ଼ିଶା ପୌର ଆଇନ ସଂଶୋଧନ ବିଲ୍‌, ୨୦୨୧ ମଙ୍ଗଳବାର ରାଜ୍ୟ ବିଧାନସଭାରେ ପାରିତ ହେବାପରେ ଏନେଇ ବାଟ ଫିଟିଛି । ହାଇକୋର୍ଟଙ୍କ ଆଦେଶ ମୁତାବକ ସଂରକ୍ଷଣ ସୀମା ୫୦% ମଧ୍ୟରେ ରଖିବାକୁ ସରକାର ଏହି ବିଲ୍ ଜରିଆରେ ବ୍ୟବସ୍ଥା କରିଛନ୍ତି । ୨୦୧୩ ମସିହାରେ ୨୧ଟି ପିଟିସନ ଉପରେ ବିଚାର କରି ଓଡ଼ିଶା ହାଇକୋର୍ଟ ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦% ମଧ୍ୟରେ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାକୁ ଓଡ଼ିଶା ସରକାର ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରଙ୍କୁ ଝଟ୍‌କା ଦେଇ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ତେଣୁ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଛଡ଼ା ସରକାରଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । ତେବେ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ରଖିବା ଲାଗି ଦୁଇଟି ଆଇନରେ ସଂଶୋଧନର ଆବଶ୍ୟକତା ଥିଲା ।

ଏହି ଦୁଇଟି ହେଉଛି ଓଡ଼ିଶା ପୌର ଆଇନ, ୧୯୫୦ ଏବଂ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ । ଦୁଇଟି ଆଇନରେ ପଛୁଆ ବର୍ଗଙ୍କୁ ୨୭ % ସଂରକ୍ଷଣ ମିଳିବା ନେଇ ପ୍ରାବଧାନ ରହିଥିଲା । ସେହିଭଳି ସମ୍ବିଧାନର ଧାରା ୨୪୩ ଆଧାରରେ ଜନସଂଖ୍ୟାକୁ ବିଚାରକୁ ନେଇ ସହରାଞ୍ଚଳରେ ଏସ୍‌ସି, ଏସ୍‌ଟି ବର୍ଗଙ୍କୁ ମଧ୍ୟ ପୌର ନିର୍ବାଚନରେ ସଂରକ୍ଷଣ ପ୍ରଦାନ କରିବା ଲାଗି ପ୍ରାବଧାନ ରହିଥିଲା । ଏଣୁ ଏସ୍‌ସି, ଏସ୍‌ଟି ଏବଂ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ମିଶାଇଲେ ତାହା ୫୦%ରୁ ଢେର ଅଧିକା ହେଉଥିଲା ।

ଏବେ ସଂରକ୍ଷଣ ସୀମା ୫୦% ମଧ୍ୟରେ ରଖିବାକୁ ଥିବାରୁ ସରକାର ଏହି ଦୁଇଟି ଆଇନରେ ସଂଶୋଧନ କରିଛନ୍ତି । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସ୍‌ସି ଏବଂ ଏସ୍‌ଟିଙ୍କୁ ସଂରକ୍ଷଣ ଦିଆଯିବ । ସେମାନଙ୍କୁ ଆବଶ୍ୟକ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଅଂଶଗୁଡ଼ିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ । ଭୁବନେଶ୍ୱର, କଟକ ମହାନଗର ନିଗମ ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନିର୍ବାଚନ ସମୟ ଇତିମଧ୍ୟରେ ତିନିବର୍ଷ ଗଡ଼ିଗଲାଣି । ନିର୍ବାଚନ ବିଳମ୍ବକୁ ନେଇ ହାଇକୋର୍ଟରେ ତିନୋଟି ପୃଥକ୍ ମାମଲା ଦାଏର ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନ ଓ ସରକାରଙ୍କୁ ଅଗଷ୍ଟ ୨୫ ତାରିଖରେ ହାଇକୋର୍ଟ ଜବାବ ତଲବ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking