26.1 C
Bhubaneswar
Friday, March 29, 2024
Homeଅପରାଧଆକାଉଣ୍ଟ ଖୋଲିବା ନାଁରେ ୫ ଲକ୍ଷ ଲୁଟ୍‌

ଆକାଉଣ୍ଟ ଖୋଲିବା ନାଁରେ ୫ ଲକ୍ଷ ଲୁଟ୍‌

ବ୍ରହ୍ମପୁର: ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ନାମରେ ଏକ ଘରୋଇ ବ୍ୟାଙ୍କ୍ ଜଣେ ଗ୍ରାହକଙ୍କ ନିକଟରୁ ୫ ଲକ୍ଷ ଠକିନେଇଥିବା ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି । ବଡ଼ ବଜାର ଥାନା ପ୍ରେମ ନଗର ୬ଷ୍ଠ ଗଳିର ଗୋପାଳକୃଷ୍ଣ ରାଓଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ଗୋପାଳକୃଷ୍ଣ ଦୀର୍ଘ ୮ ବର୍ଷ ହେଲା ଆକ୍ସିସ୍ ବ୍ୟାଙ୍କର ପ୍ରେମ ନଗର ଶାଖାର ଗ୍ରାହକ ରହିଛନ୍ତି । ସେ ନିଜ କର୍ମରେ ବ୍ୟସ୍ତ ଥିବା ବେଳେ ବିଭିନ୍ନ ସମୟରେ ବ୍ୟାଙ୍କ୍‌ର କର୍ମଚାରୀଙ୍କ ଜରିଆରେ ତାଙ୍କର ବ୍ୟାଙ୍କ୍ କାର୍ଯ୍ୟ କରି ଆସୁଥିଲେ । ଗତ ୨୦୨୦ ମସିହାରେ ଉକ୍ତ ଶାଖାରେ ସେ ‘ଶ୍ରୀନିବାସୁଲୁ ରିଏଲ୍ ଇଷ୍ଟେଟ୍ ଏବଂ କନଷ୍ଟ୍ରକସନ’ ନାମରେ ଏକ କରେଣ୍ଟ ଆକାଉଣ୍ଟ ଖୋଲିବାକୁ ଚାହିଁଥିଲେ ।

ଏ ନେଇ ସେ ଶାଖା ପରିଚଳକଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ କମ୍ପାନୀ ନାମରେ ଆକାଉଣ୍ଟ ଖୋଲିବା ନିମନ୍ତେ ସେ ୫ ଲକ୍ଷ ଟଙ୍କା ବ୍ୟାଙ୍କର ଜଣେ ଅଧିକାରୀଙ୍କୁ ଦେଇଥିବା ଅଭିଯୋଗ କରିଛନ୍ତି । ଏହା ସହ ଗୋପାଳକୃଷ୍ଣ ତାଙ୍କର ଦୁଇଟି ଚେକ୍ ମଧ୍ୟ ଦେଇଥିଲେ । କିନ୍ତୁ କୌଣସି କାରଣ ନିମନ୍ତେ ସେହି ଦିନ ତାଙ୍କର ଆକାଉଣ୍ଟ ଖୋଲା ଯାଇନଥିଲା ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଏବଂ କରେଣ୍ଟ ଆକାଉଣ୍ଟ ଖୋଲିବାକୁ ସମୟ ଲାଗିବ ଏବଂ ଆବଶ୍ୟକ ପଡ଼ିଲେ ଆସିବାକୁ କହି ବ୍ୟାଙ୍କରୁ ଚାଲି ଯିବାକୁ କୁହାଯାଇଥିଲା । ଗୋପାଳକୃଷ୍ଣ ସେହି ଦିନ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବା ବେଳେ ସେ ବ୍ୟାଙ୍କରୁ ପଳାଇ ଆସିଥିଲେ ।

ଏହା ପରେ ବିଭିନ୍ନ ସମୟରେ ଅଭିଯୋଗକାରୀ ଅନୁରୋଧ ପରେ ମଧ୍ୟ ଶାଖା ପରିଚାଳକ ଗୋପାଳକୃଷ୍ଣଙ୍କ କମ୍ପାନୀ ନାମରେ ଆକାଉଣ୍ଟ ଖୋଲି ନଥିଲେ । ସେ ଏହି ବିଷୟରେ ବ୍ୟାଙ୍କ୍ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିବା ପରେ ଆକାଉଣ୍ଟ ଖୋଲିବା ଏବଂ ଟଙ୍କା ଜମା କରିବା ନିମନ୍ତେ ଶାଖା ପରିଚାଳକ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ଗୋପାଳକୃଷ୍ଣ ରାଓ ତାଙ୍କ ଟଙ୍କା ଫେରି ପାଇନାହାନ୍ତି । ଏ ନେଇ ସେ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ଅନ୍ୟପକ୍ଷରେ ଏହି ଘଟଣା ପରେ ଉକ୍ତ ଶାଖା ପରିଚାଳକ ଚାକିରି ଛାଡ଼ିଦେବା ସହ କେଉଁ ଆଡ଼େ ଫେରାର ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking