ଅଜଣା ରୋଗରେ ୧୦ ଦିନରେ ୫ ମୃତ 

ମାଲକାନଗିର : ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ନିଲିଗୁଡ଼ା ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ଅଜଣା ରୋଗରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଥମ ଏକ ସପ୍ତାହରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରେ ୩ ଦିନ ମଧ୍ୟରେ ୨ ଜଣଙ୍କର ମୃତ୍ୟୁଘଟିଛି । ରୋଗୀଙ୍କର ପ୍ରଥମେ ହାତ ଗୋଡ଼ ଓ ପେଟ ଫୁଲିବା ସହ ଅସହ୍ୟ ଯନ୍ତ୍ରଣା ହେଉଛି । ଏହାର କିଛି ଦିନ ପରେ  ମୃତ୍ୟୁ ଘଟୁଥିବା ଜଣାପଡ଼ିଛି । ଗ୍ରାମର ଆଡ଼ମା ମାଡ଼କାମି(୩୦),  ମୁକେ ସୋଡ଼ି(୨୫), ନନ୍ଦ କିଶୋର ମାଡ଼ି(୩୧), ସିଙ୍ଗା ମାଡ଼ି(୧୯)ଙ୍କ ସମେତ ଜଣେ ୭୦ ବର୍ଷର ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦଙ୍କ ନେତୃତ୍ୱରେ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର  ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଚିତ୍ତ ରଞ୍ଚନ ମିଶ୍ର, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଧନୟ ମହାପାତ୍ର, ଅଜିତ କୁମାର ଦଳେଇଙ୍କ ସହ ଏକ ସ୍ୱାସ୍ଥ୍ୟ ଦଳ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତ ପରୀକ୍ଷା କରିଛନ୍ତି । ଏଥିସହ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ବ୍ୟବସ୍ଥାର ସୁବିଧା କରାଯାଇଥିବା ବେଳେ କୌଣସି ରୋଗ ହେଲେ ବିଳମ୍ବ ନ କରି ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି ।  ସ୍ୱାସ୍ଥ୍ୟ ପାରୀକ୍ଷା ପରେ ଗ୍ରାମର ଗଙ୍ଗା କୁରାମୀ, ଲାକାସୋଡ଼ି, କଷା ସୋଡ଼ି, ଭୀମା ସୋଡ଼ି, ମୁକା ସୋଡ଼ି ଓ ଅର୍ଜୁନ ସୋଡ଼ିଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର କୀଡ଼ନି ଖରାପ ଥିବା ବେଳେ ଅନ୍ୟ ୪ ଜଣଙ୍କ ଅନ୍ୟାନ୍ୟ ରୋଗ ଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ପରୀକ୍ଷାରେ ରୋଗୀଙ୍କ ବୃକକ ଖରାପ ଥିବା ସହ ହିମୋଗ୍ଲୋବିନ, ରକ୍ତ ହୀନତା ଓ ଜଣ୍ଡିସ ଥିବା ଜଣାପଡ଼ିଛି । ନିଳିଗୁଡ଼ା ଓ ରାମଗୁଡ଼ା ଗ୍ରାମରେ ଗତ ୨ ମାସ ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତନ୍ମଧ୍ୟରୁ ୨ ଜଣ ହୃଦରୋଗ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ଜଣଙ୍କର ସାଧାରଣ ଭାବେ ମୃତ୍ୟୁ ହୋଇଛି । ବିଶେଷ କରି ଲୋକେ ଦେଶୀ ମଦରେ ୟୁରିଆ ମିଶାଇ ସେବନ କରୁଥିବାରୁ ବୃକକ ଓ ଯକୃତ ଖରାପ ହୋଇ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ନନ୍ଦ ପ୍ରକାଶ କରିଛନ୍ତି । ଗ୍ରାମର ୨ ଟି ନଳକୂପ ଥିବା ବେଳେ ଏହାର ଜଳ ଗୋଟିଏ ଦିନ ପରେ ହଳଦିଆ ହୋଇପଡ଼ୁଛି । ଏହାର ଜଳ ବ୍ୟବହାର କରି ଏଭଳି ସ୍ଥିତି ଉପୁଜୁଥିବା ସରପଞ୍ଚ ବୁଦ୍ରା କାର୍ତାମୀ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ଏକ ନୂତନ ନଳକୂପ ଖନନ କରି କିମ୍ବା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ଅଜଣା ରୋଗର ପାଦୁର୍ଭାବ ଦେଖାଦେଇଛି । ଡାକ୍ତରୀଦଳକୁ ଡାକିବା ପରେ ସେମାନେ ଆସି ପରୀକ୍ଷା କରିଛନ୍ତି । ତେବେ ଯେଉଁମାନଙ୍କ ଦେହ ଖରାପ ଅଛି, ଶୀଘ୍ର ଚିକିତ୍ସାର ବ୍ୟବସ୍ଥା କରାଇବା ପାଇଁ ସରକାର ଦୃଷ୍ଟି ଦେବାକୁ ଗ୍ରାମର ପେଦା ଦେବାନନ୍ଦ ମାଡ଼କାମି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here