ଚଣ୍ଡିଗଡ : ପଞ୍ଜାବ ସଙ୍ଗାରୁର ଜିଲ୍ଲା ଦିର୍ବା ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ଚାଲିଗଲା ୪ ଜଣଙ୍କ ଜୀବନ । ମୃତକମାନେ ହେଲେ ସ୍ଥାନୀୟ ଗୁଜରାନ ଗ୍ରାମର ଭୋଳା ସିଂହ (୫୦), ନିର୍ମାଲ ସିଂହ (୪୨), ପ୍ରୀତ ସିଂହ (୪୨) ଓ ଲଗଜିତ ସିଂହ (୩୦) । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁଜରାନ ଗାଁରେ କିଛି ବ୍ୟକ୍ତି ମଦପାନ କରିଥିଲେ । ମଦ ପିଇବା ପରେ ୬ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେଥିମଧ୍ୟରୁ ପରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଙ୍କଟାପନ୍ନ ଥିବାବେଳେ ଏହି ଘଟଣା ନେଇ ସେମାନଙ୍କ ସମ୍ପର୍କୀୟ କହିଛନ୍ତି ଯେ, ବିଷାକ୍ତ ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇ ପଡିଥିବା ଆମେ ସନ୍ଦେହ କରୁଛୁ । ୬ ଜଣ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ମଧ୍ୟ ପଞ୍ଜାବରେ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳିଥିଲା । ତରତ ତାରାନ ଜିଲ୍ଲାରେ ବିଷାକ୍ତ ମଦପାନ କାରଣରୁ ଅନେକ ଲୋକଙ୍କୁ ମୃତ୍ୟୁ ହୋଇଥିଲା । ଏବେ କିଛି ଦିନର ବ୍ୟବଧାନ ପରେ ସଙ୍ଗରୁର ଦିର୍ବା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଏହି ଖବର ପାଇବା ମାତ୍ରକେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଅନେକ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଏହି ମଦ ମୃତ୍ୟୁ ସାମ୍ନାକୁ ଆସୁଛି ।