ନୂଆଦିଲ୍ଲୀ : ଆମେରିକା ସଂଲଗ୍ନ କାନାଡା ସୀମାରେ ଚାରି ଭାରତୀୟଙ୍କ ମୃତ୍ୟୁ ଘଟିଛି । ଅସହ୍ୟ ଥଣ୍ଡାରେ ଏହି ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହି ବିଷୟରେ ପଚାରି ବୁଝିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଘଟଣାରେ ଗୋଟିଏ ପରିବାରରର ଚାରି ସଦସ୍ୟଙ୍କ ମୃତ୍ୟୁ ଭୀଷଣ ଥଣ୍ଡା କାରଣରୁ ହୋଇଛି । ଏଥିରେ ଗୋଟିଏ ନବଜାତ ଶିଶୁ ମଧ୍ୟ ସାମିଲ୍ । ଏହି ଘଟଣା ବିଦେଶୀ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ଏମର୍ସନ ନିକଟସ୍ଥ କାନାଡା-ଆମେରିକା ସୀମାରେ କାନାଡ ପାର୍ଶ୍ୱରେ ଚାରି ଶବ ମିଳିଛି । ଏଥିରେ ଦୁଇ ମୃତଦେହ ସାବାଳକ ହୋଇଥିବା ବେଳେ ଜଣେ ନବଜାତ ଶିଶୁ ମଧ୍ୟ ସାମିଲ୍ । ମାମଲାରେ ପ୍ରତିକ୍ରିୟା ରଖି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରିଛନ୍ତି, କାନାଡା-ଆମେରିକା ସୀମାରେ ଜଣେ ଶିଶୁ ସହିତ ୪ ଭାରତୀୟ ନାଗରିକଙ୍କ ମୃତ୍ୟୁ ଶୁଣି ମର୍ମାହତ । ଆମେରିକା ଓ କାନାଡାରେ ନିଜ ରାଷ୍ଟ୍ରଦୂତଙ୍କ ସ୍ଥିତି ଉପରେ ତତ୍କାଳ ପ୍ରତିକ୍ରିୟା ଦେବାକୁ କହିଛନ୍ତି । ଘଟଣା ନେଇ କାନାଡାରେ ଭାରତୀୟ ରାଷ୍ଟ୍ରଦୂତ ଅମର ବିସାରିଆ କହିଛନ୍ତି, ଭାରତୀୟ ଉଚ୍ଚାୟୋଗର ଦଳ ଘଟଣାସ୍ଥଳକୁ ଯାଉଛନ୍ତି । ଏହା ଏକ ଦୁଃଖଦ ଘଟଣା । ସହଯୋଗ ଏବଂ ସାହାଯ୍ୟ ପାଇଁ ଟୋରଣ୍ଟୋରୁ ଏକ ଭାରତୀୟ ଦଳ ମୋନିଟୋବା ଯାଉଛନ୍ତି । ଘଟଣାର ଯାଞ୍ଚ ପାଇଁ କାନାଡା ଅଧିକାରୀଙ୍କ ସହିତ କାମ କରିବୁ ।