38.1 C
Bhubaneswar
Saturday, April 20, 2024
Homeଓଡିଶାରାଜ୍ୟରେ ଗତ ଦୁଇ ଦିନରେ ୪ ହାତୀଙ୍କର ମୃତ୍ୟୁ

ରାଜ୍ୟରେ ଗତ ଦୁଇ ଦିନରେ ୪ ହାତୀଙ୍କର ମୃତ୍ୟୁ

ନୀଳଗିରି : ରାଜ୍ୟରେ ଆଜି ପୁଣି ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଛି । ଗତ ଦୁଇ ଦିନରେ ୪ ହାତୀଙ୍କର ମୃତ୍ୟୁ ହେଲାଣି । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ବାରମ୍ବାର ଘଟିଚାଲିଛି । ଅଭୟାରଣ୍ୟର ଝରଣାଘାଟି ସେକ୍ସନ ପୁରୁଣାପାଣି ବିଟ୍‌ର ଡାଙ୍ଗର ପୋଖରୀ ପାଖରେ ଏକ ୪ ବର୍ଷର ଅଣ୍ଡିରା ହାତୀ ଛୁଆର ବୁଧବାର ମୃତ୍ୟୁ ଘଟିଥିବା ରେଞ୍ଜର ପ୍ରକାଶ କରିଛନ୍ତି । ବର୍ତ୍ତମାନ ଅଖଣ୍ଡ ଶିକାର ରୋକିବାକୁ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଗୁରୁବାର ଜଏଣ୍ଟ ଟାସ୍କଫୋର୍ସ ତଦନ୍ତ କରିବା ପରେ ହାତୀର ଶବବ୍ୟବଚ୍ଛେଦ ହେବ ବୋଲି ରେଞ୍ଜର ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି । କୁଲଡିହାରେ ବର୍ଷକ ମଧ୍ୟରେ ୮ଟି ହାତୀଙ୍କ ମୃତ୍ୟୁ ଘଟିଲାଣି ।

ସେହିପରି ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅଧୀନ ରାଇପାଳ ବିଟ୍ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଏହି ହାତୀର ବୟସ ୧୦ରୁ ୧୫ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ବାରିପଦା ଡିଏଫଓ ସନ୍ତୋଷ ଯୋଶୀ ଓ କପ୍ତିପଦା ରେଞ୍ଜ ଅଧିକାରୀଙ୍କ ସମେତ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅନ୍ତର୍ଗତ ମହଦା ଜଙ୍ଗଲରେ ବାରହା ଫାଶରେ ପଡ଼ି ଗୋଟିଏ ଦନ୍ତାହାତୀର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା । ଦୁଇଦିନ ଭିତରେ ପ୍ରାୟ ୪ ହାତୀଙ୍କ ଜୀବନ ଯାଇଥିବାରୁ ଏହା ଉଦ୍‌ବେଗର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking