28.1 C
Bhubaneswar
Friday, March 29, 2024
Homeଓଡିଶାକ୍ରୀଡ଼ା ଶିକ୍ଷକଙ୍କ ୪.୬୭ କୋଟିର ସମ୍ପତ୍ତି ଠାବ: ଘରୁ ମିଳିଲା ୭୨୧ ଗ୍ରାମର ସୁନା, ୧୨୮୪...

କ୍ରୀଡ଼ା ଶିକ୍ଷକଙ୍କ ୪.୬୭ କୋଟିର ସମ୍ପତ୍ତି ଠାବ: ଘରୁ ମିଳିଲା ୭୨୧ ଗ୍ରାମର ସୁନା, ୧୨୮୪ ଗ୍ରାର ରୂପା

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭୋରୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଚଢ଼ଉ ହୋଇଛି । ଜନାର୍ଦ୍ଦନ ଜରଡା ଥାନା ଅନ୍ତର୍ଗତ ଜରୟନ୍ତୀପୁରସ୍ଥିତ ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଆଜି ଜୟନ୍ତୀପୁର ଗ୍ରମାରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ କେନ୍ଦ୍ର, ଗୋଦାମ ଗୃହ, ମଦଭାଟି, ବ୍ରହ୍ମପୁର ଅନନ୍ତ ନଗରରେ ଥିବା ବାସଗୃହ ଏଭଳି ମୋଟ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ଭିଜିଲାନ୍ସ ୪ ଜଣ ଡିଏସପିଙ୍କ ସମେତ ଅନେକ କର୍ମଚାରୀ ସାମିଲ ଅଛନ୍ତି । ଜନାର୍ଦ୍ଦନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୪ କୋଟି ୬୭ ଲକ୍ଷ ୭୦ ହଜାର ୮୬୫ ଟଙ୍କା ଆକଳନ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁର ତହସିଲ ଅନ୍ତର୍ଗତ ଜନାର୍ଦ୍ଦନଙ୍କ ସ୍ତ୍ରୀ କୁନ୍ତଳା କୁମାରି ସାହୁଙ୍କ ନାମରେ ଥିବା ଏକ ଜାଗାର ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା, ବ୍ରହ୍ମପୁର ଅନନ୍ତ ନଗର ୧ମ ଗଳିରେ ଥିବା ତିନି ମହଲା କୋଠାର ମୂଲ୍ୟ ୭୯ ଲକ୍ଷ ୬୪ ହଜାର ଟଙ୍କା, ଅନନ୍ତ ନଗର ୩ୟ ଗଳିରେ ଥିବା ତାଙ୍କ ସ୍ତ୍ରୀ କୁନ୍ତଳା କୁମାରୀ ସାହୁ ଓ ତାଙ୍କ ପୁଅ ଅମିତ କୁମାର ସାହୁଙ୍କ ନାମରେ ଥିବା ଏକ ଜାଗା ଓ ସେଠାରେ ନିର୍ମାଣ ହୋଇଥିବା କୋଠାର ମୂଲ୍ୟ ୪୧ ଲକ୍ଷ ୨୨ ହଜାର ୨୦୦ ଟଙ୍କା ହେବ । ସେହିପରି ଜନାର୍ଦ୍ଦନଙ୍କ ନାମରେ ବ୍ରହ୍ମପର ତହସିଲ୍ ଅନ୍ତର୍ଗତ ୨ଟି ମୌଜାରେ ଥିବା ୨ଟି ଜାଗାର ମୂଲ୍ୟ ୧୩ ଲକ୍ଷ ୨ ଜହାର ୨୦୦ ଟଙ୍କା ରହିଛି ।

୨୦୧୨ ମସିହାରେ କ୍ରୟ କରିଥିବା ଏକ ଗୋଦାମ ଜାଗା ଓ ଗୃହର ମୂଲ୍ୟ ୫୦ ଲକ୍ଷ ୨୩ ହଜାର ୬୭୧ ଟଙ୍କା, ବାଳକୃଷ୍ଣପୁର ଗ୍ରାମରେ ଥିବା ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଚାଲିଥିବା ଗୃହର ମୂଲ୍ୟ ୩୮ ଲକ୍ଷ ଟଙ୍କା, ପୁରୁଷୋତ୍ତମପୁର ତହସିଲ ଅଧିନରେ ଥିବା ଜାଗାର ମୂଲ୍ୟ ୩୦ ହଜାର ୧୬୧ ଟଙ୍କା, ଜୟନ୍ତୀପୁର କୁନ୍ତଳା କିଶାନ ସେବା କେନ୍ଦ୍ର ନାମରେ ଥିବା ପେଟ୍ରୋଲ ପମ୍ପ ମୂଲ୍ୟ ୨୩ ଲକ୍ଷ ୭୧ ହଜାର ୧୪୪ ଟଙ୍କା, ବସଷ୍ଟାଣ୍ଡ୍ ନିକଟରେ ଥିବା ଦୋକାନ ଗୃହର ମୂଲ୍ୟ ୧ ଲକ୍ଷ ୭୩ ହଜାର ଟଙ୍କା, ଦୁଇ ମହଲା କୋଠାର ମୂଲ୍ୟ ୨୭ ଲକ୍ଷ ଟଙ୍କା, ୨୦୦୪ ମସିହାରେ ନିର୍ମିତ ଓ ୨୦୧୫ ମସିହାରେ ନବୀକରଣ ହୋଇଥିବା ଏକ ଦୁଇ ମହଲା ବିଶିଷ୍ଟ ଗୃହର ମୂଲ୍ୟ ୯ ଲକ୍ଷ ୪୧ ହଜାର ୮୨୦ ଟଙ୍କା, ଜୟନ୍ତୀପୁରରେ ଥିବା ଗୋଟିଏ ଘରର ମୂଲ୍ୟ ୧ ଲକ୍ଷ ୫୪ ହଜାର ୭୨୧ ଟଙ୍କା ଆକଳନ କରାଯାଇଛି ।

ଭୁବନେଶ୍ୱର ତହସିଲ ଅଧୀନରେ ଥିବା ଏକ ଜାଗା ତାଙ୍କ ପୁଅ ଅମିତ କୁମାର ସାହୁ ଏବଂ ଅନ୍ୟ ଜଣେ ସୁନୀଲ କୁମାର ସାହୁଙ୍କ ନାମରେ ରହିଛି । ସେଥି ମଧ୍ୟରୁ ଅମିତଙ୍କ ନାମରେ ଥିବା ଜମିର ମୂଲ୍ୟ ୪୯ ଲକ୍ଷ ଟଙ୍କା ରହିଛି । ତାଙ୍କ ବନ୍ଧୁ ଦୁର୍ଯ୍ୟୋଧନଙ୍କ ନାମରେ ଚାଲୁଥିବା ଜୟନ୍ତୀପୁର ଗାଁରେ ଅବସ୍ଥିତ ଶ୍ୟାମଘନ ଗ୍ୟାସ୍ ଏଜେନ୍ସିର ମୂଲ୍ୟ ୨୭ ଲକ୍ଷ ୩୦ ହଜାର ୭୦୦ ଟଙ୍କା ରହିଛି । ସେହିପରି ତାଙ୍କ ଘରକରଣା ସାମଗ୍ରୀର ମୂଲ୍ୟ ୧୦ ଲକ୍ଷ ୧୭ ହଜାର ୫୭୦ ଟଙ୍କା ହୋଇଛି । ୨୦୨୧ରେ ଜନାର୍ଦ୍ଦନ କ୍ରୟ କରିଥିବା ଗୋଟିଏ ହୁଣ୍ଡାଇ କ୍ରେଟା କାର୍ ମୂଲ୍ୟ ୧୧ ଲକ୍ଷ ୬୨ ହଜାର ୯୩୫ ଟଙ୍କା ହୋଇଥିବା ବେଳେ ଗୋଟିଏ ହୁଣ୍ଡାଇ ସାଣ୍ଟ୍ରୋ ୧ ସ୍ପୋର୍ଟଜ୍ କାର୍‌ର ମୂଲ୍ୟ ୫ ଲକ୍ଷ ୫୯ ହଜାର ୯୯୦ ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି ।

ତାଙ୍କ ପୁଅଙ୍କ ନାମରେ ଥିବା ମୋଟରସାଇକେଲ ମୂଲ୍ୟ ୧ ଲକ୍ଷ ୪୦ ହଜାର ୭୬୮ ଟଙ୍କା ଓ ଅନ୍ୟ ଏକ ସ୍କୁଟିର ମୂଲ୍ୟ ୪୨ ହଜାର ୧୬୨ ଟଙ୍କା ରହିଛି । ଘରେ ଥିବା ୭୨୧.୦୫ ଗ୍ରାମର ସୁନା ଅଳଙ୍କାରର ମୂଲ୍ୟ ୨୫ ଲକ୍ଷ ୧୧ ହଜାର ୨୬୫ ଟଙ୍କା ଓ ୧୨୮୪.୪ ଗ୍ରାର ରୂପାର ମୂଲ୍ୟ ୧୭ ହଜାର ଟଙ୍କା ବୋଲି ଜଣାପଡ଼ିଛି । ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ କେନ୍ଦ୍ର ଓ ଘରୁ ମୋଟ୍ ୩ ଲକ୍ଷ ୭୦ ହଜାର ଟଙ୍କ ଜବତ ହୋଇଥିବା ବେଳେ ୧୪ ଲକ୍ଷ ଟଙ୍କାର ଗୁଡ଼ ଓ ଚିନି ଜବତ କରାଯାଇଛି । ସେହିପରି ଜନାର୍ଦ୍ଦନଙ୍କ ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୩ ଲକ୍ଷ ୩୮ ହଜାର ୮୫ ଟଙ୍କା ଓ ଏଲଆଇସିରେ ଜମାଥିବା ୭ ଲକ୍ଷ ୮୮ ହଜାର ୬୫୬ ଟଙ୍କା ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking