ଚିକିଟି: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ନିଷ୍ପାପ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବତୀ ମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ଚିକିଟିରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୁନାପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀର ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣାକୁ ୧୫ ଦିନ ନପୁରୁଣୁ କେ.ନୁଆଗାଁ ଥାନା ଅଞ୍ଚଳରେ ପୁଣି ତିନି ବର୍ଷର ଶିଶୁକନ୍ୟାକୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚିକିଟି ମାଟିରେ ଏପରି ଦିନକୁ ଦିନ ଲଜ୍ଜାଜନକ ଘଟଣା ଘଟିବା ଏବଂ ଆଇନଶୃଂଖଳା ବିପର୍ୟ୍ୟସ୍ତ ହୋଇଥିବା ସାଧାରଣରେ କୁହାଯାଇଛି ।
ସୂଚନା ଅନୁସାରେ, ନାବାଳକ ଜଣକ ନାବାଳିକାକୁ ଚକୋଲେଟ ଲୋଭ ଦେଖାଇ ଏକ ଜଙ୍ଗଲକୁ ଡାକି ନେଇ ସେଠାରେ ଦୁଷ୍କର୍ମ କରି ଘଟଣାସ୍ଥଳରେ ନାବାଳିକାକୁ ଛାଡ଼ି ପଳାଇ ଯାଇଥିଲା । ନାବାଳିକାକୁ ଘଟଣା ସଂପର୍କରେ କାହାରିକୁ କିଛି ନ କହିବା ପାଇଁ କହିଥିଲା । ତେବେ ନାବାଳିକା ଘରକୁ ଫେରି ନିଜ ପରିବାର ଲୋକଙ୍କୁ ସବୁ କଥା କହିବା ପରେ କେ.ନୁଆଗାଁ ଥାନା ଅଭିଯୋଗ ହୋଇଛି । ଉଭୟ ୩ ବର୍ଷର ଶିଶୁକନ୍ୟା ଓ ୧୪ ବର୍ଷିଅ ନାବାଳକଙ୍କୁ ଡ଼ାକ୍ତରୀ ମାଇନା କରିଥିବା ଜଣାପଡ଼ିଛି । ଶିଶୁକନ୍ୟା ସୁସ୍ଥ ଥିବା ପୁଲିସ କହିଛି । ଗତ ୧୫ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଘଟଣାଟି ଚାପି ହୋଇ ରହିଥିଲା । ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।