34.1 C
Bhubaneswar
Thursday, April 25, 2024
Homeଓଡିଶାଅଙ୍ଗଦାନ ପଥରେ ଆଉଜଣେ ନାରୀ : ପ୍ରିୟଙ୍କାରାଣୀ, ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀ

ଅଙ୍ଗଦାନ ପଥରେ ଆଉଜଣେ ନାରୀ : ପ୍ରିୟଙ୍କାରାଣୀ, ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀ

କଟକ : ଏକ ମାସ ମଧ୍ୟରେ ରାଜ୍ୟରେ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ(ବ୍ରେନ୍ ଡେଡ୍‌) ରାଜଲକ୍ଷ୍ମୀ ଦାସଙ୍କ କିଡନୀ ଅଣାଯାଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହନ୍ତଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ଯଦି କୌଣସି ଅଘଟଣ ନ ଘଟେ, ତେବେ ଆଜି ସକାଳେ ରୀତାରାଣୀଙ୍କ ଶରୀରରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ଏସ୍‌ସିବି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଗତ ୨ ତାରିଖରେ ସ୍କୁଟରରେ ବସି ଘରକୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ। ପରିବାରଲୋକ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଚିକିତ୍ସା ସମ୍ଭବ ନ ହେବାରୁ ରାଜଲକ୍ଷ୍ମୀଙ୍କୁ ପରିବାର ଲୋକ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ବୁଧବାର ସକାଳେ ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍‌(ମସ୍ତିଷ୍କ ମୃତ) ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ତୁରନ୍ତ ହାଇଟେକ୍ ହସ୍ପିଟାଲରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ସ୍ୱାମୀ ଅଭିମନ୍ୟୁଙ୍କ ସମେତ ପରିବାର ସଦସ୍ୟଙ୍କୁ ଅଙ୍ଗଦାନର ମହତ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ।
ଦୀର୍ଘ ସମୟ ଆଲୋଚନା ପରେ ପରିବାର ଲୋକ ରାଜଲକ୍ଷ୍ମୀଙ୍କ କିଡ୍‌ନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଡ. ଆଚାର୍ଯ୍ୟ ସୋଟୋର ନୋଡାଲ ଅଫିସର ଡ. ଚିତ୍ତରଞ୍ଜନ କରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବିଳମ୍ବିତ ରାତିରେ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲା। ଏସ୍‌ସିବିରୁ ଡ. କର ଏବଂ ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତର ଦଳ ହାଇଟେକ୍‌ରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ଶରୀରରୁ କିଡ୍‌ନୀ କାଢ଼ିଥିଲେ। ସୋଟୋର ନିୟମ ଅନୁଯାୟୀ ରାଜଲକ୍ଷ୍ମୀଙ୍କ ଗୋଟିଏ କିଡ୍‌ନୀ ଆପୋଲୋ ଏବଂ ଅନ୍ୟଟି ଏସ୍‌ସିବିରେ ଚିକିତ୍ସାଧୀନ ରୀତାରାଣୀଙ୍କ ଶରୀରରେ ପ୍ରତିରୋପଣ ପାଇଁ ଅଣାଯାଇଥିଲା। ଯଦି ସମସ୍ତ ପ୍ରକ୍ରିୟା ସଠିକ୍ ଭାବେ ସମ୍ପାଦିତ ହୁଏ, ଆଜି ରୀତାରାଣୀଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରାଯିବ ବୋଲି ଡ. କର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking